ଆରମ୍ଭ ହେଲା ଟାଟା ପାୱାର କାର୍ଯ୍ୟର ସମୀକ୍ଷା: ଭିତ୍ତିଭୂମି ପାଇଁ ଖର୍ଚ୍ଚର ଅଡିଟ୍ କରିବ ଓଇଆରସି

534

କନକ ବ୍ୟୁରୋ: ରାଜ୍ୟରେ ବିଦ୍ୟୁତ ସେବା ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥାର ଏକାଧିକ ଚିତ୍ର ସାମ୍ନାକୁ ଆସିବା ପରେ, ଆରମ୍ଭ ହୋଇଛି ଟାଟା ପାୱାର କାର୍ଯ୍ୟର ସମୀକ୍ଷା । ଭିତିଭୂମି ସଜାଡିବା ପାଇଁ, ଯେଉଁ ଟଙ୍କା ଖର୍ଚ୍ଚ ହୋଇଛି, ଏକ ତୃତୀୟ ପକ୍ଷ ଦ୍ୱାରା ତାର ଅଡିଟ୍ କରିବେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ଏହି ଅଡିଟ ରିପୋର୍ଟ ଆସିଲେ ଆୟୋଗ ତାର ସମୀକ୍ଷା କରିବେ ।

ଜୁନ୍ ମାସର କଥା ମନେ ପକାନ୍ତୁ, ପ୍ରବଳ ଖରା, ଗରମ ଓ ଗୁଳୁଗୁଳି ସାଙ୍ଗକୁ ଘନଘନ ବିଜୁଳି କାଟ୍ ହେଉଥିଲା । ବର୍ଷା ଆସିବା ପୂର୍ବରୁ ବିଜୁଳି କାଟି ଦିଆଯାଉଥିଲା । କାଳବୈଶାଖି ପ୍ରଭାବରେ ବିଜୁଳି ଭିତ୍ତିଭୂମିକୁ କ୍ଷତି ପହଂଚିଲେ ପୁନଃ ସଂଯୋଗ ପାଇଁ ଦିନଦିନ ବିତି ଯାଉଥିଲା । ଏସବୁ ସମସ୍ୟା ପାଇଁ ମୁଖ୍ୟତଃ ଦୁର୍ବଳ ବିଜୁଳି ଭିତିଭୂମିକୁ ଦାୟୀ କରାଯାଉଥିଲା । ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ବିଜୁଳି ଭିତିଭୂମି ସଜାଡିବାକୁ ୨୦୨୦ରୁ ୧୯୦୯ କୋଟି ଟଙ୍କା ଖର୍ଚ୍ଚ କରିଛି ଟାଟା ପାୱାର । ଓଇଆରସି ପ୍ରେସନୋଟ୍ରେ ଆହୁରି କୁହାଯାଇଛି ।

ଓଇଆରସି ପ୍ରେସନୋଟ୍
– ୨୦୨୦ରୁ ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନିର ୫୧% ଅଂଶଧନ ଅଧିଗ୍ରହଣ କରିଛି ଟାଟା ପାୱାର
– ନିୟମ ଅନୁସାରେ ଉପଭୋକ୍ତାଙ୍କୁ ଉନ୍ନତମାନର ବିଜୁଳି ଯୋଗାଇ ଦେବାକୁ ବିଦ୍ୟୁତ ଭିତ୍ତିଭୂମିର ବିକାଶ କରିବା କଥା
– ବିତରଣ କମ୍ପାନି ଆବଶ୍ୟକ କରୁଥିବା ୫,୬୪୦ କୋଟିରୁ ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧,୯୦୯ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି

ତେଣୁ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି, ଏକ ତୃତୀୟ ପକ୍ଷ ଦ୍ୱାରା ଅଡିଟ୍ କରିବେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ଏହି କ୍ରମରେ ଟାଟା ପାୱାର କାମର ସମୀକ୍ଷା ଆରମ୍ଭ ହୋଇଛି । ଚଳିତବର୍ଷ ବିଜୁଳି ବିଭ୍ରାଟ ପାଇଁ ୨୩୭ କାଳବୈଶାଖିକୁ ଦୋଷ ଦେଇଛନ୍ତି ଟାଟା ପାୱାର କର୍ତୃପକ୍ଷ ।

ଭୁବନେଶ୍ୱର ଭରତପୁର ଅଂଚଳର ଦୁଇଟି ଟ୍ରାନ୍ସଫର୍ମର ରାଜ୍ୟରେ ଦୁର୍ବଳ ବିଜୁଳି ଭିତିଭୂମିର ଗୋଟିଏ ଗୋଟିଏ ଉଦାହରଣ । କେଉଁଠି ଦଉଡିରେ ବାନ୍ଧି ରଖାଯାଇଥିବା ଟ୍ରାନ୍ସଫର୍ମରକୁ ଖବର ବାଜିବା ପରେ ସ୍ଥାନାନ୍ତର କରାଯାଉଛି, ତ ଆଉ କେଉଁଠି ବର୍ଷବର୍ଷ ଧରି ପୋଖରୀ ଭିତରେ ବିପଦ ସଂକୂଳ ଅବସ୍ଥାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ଖବର ପ୍ରସାରଣ ପରେ ମଧ୍ୟ କର୍ତୃପକ୍ଷଙ୍କ ପରବାୟ ନାହିଁ । ଆଶା କରାଯାଉଛି ଓଇଆରସିର ନିର୍ଦ୍ଦେଶ ପରେ ଓ ତୃତୀୟ ପକ୍ଷ ଅଡିଟ୍ ଭୟରେ ଟାଟା ପାୱାର ଏଭଳି ବିଜୁଳି ଭିତିଭୂମିକୁ ସୁଧାରି ଆଗାମୀ ବର୍ଷରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ପଦକ୍ଷେପ ନେବେ ।