କେନ୍ଦୁଝରର ଗୋପବନ୍ଧୁ ! ଚାକିରିରୁ ଅବସର ପରେ ପେନସନ ଟଙ୍କାରେ ନିଜ ଗାଁ ସାଳନ୍ଦୀ ନଦୀରେ ପୋଲ ତିଆରି କଲେ ଗଙ୍ଗାଧର, ଚାରିଆଡୁ ଛୁଟୁଛି ପ୍ରଂଶସାର ସୁଅ ।

424

କନକ ବ୍ୟୁରୋ : ଆଜିର ସ୍ୱାର୍ଥପର ଦୁନିଆରେ ଏବେ ବି ପରୋପକାରୀ ଲୋକ ଅଛନ୍ତି । ଲୋକଙ୍କ ମନରେ ସାହାଯ୍ୟ ମନୋବୃତି ବଞ୍ଚିରହିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କେନ୍ଦୁଝର ହାଟଡିହି ବ୍ଲକ କାନପୁର ଗାଁର ଗଙ୍ଗାଧର ରାଉତ । ଯିଏ ନିଜ ପେନସନ୍ ଟଙ୍କାରେ ଗାଁ ଲୋକଙ୍କ ପାଇଁ ପୋଲ ନିର୍ମାଣ କରି ଗୋପବନ୍ଧୁଙ୍କ ‘ମିଶୁମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ଉକ୍ତିର ସଫଳ ପ୍ରତିପାଦନ କରିଛନ୍ତି ।

କାନପୁରର ଗୋପବନ୍ଧୁ । ପେନସନ ଟଙ୍କାରେ ତିଆରି କଲେ ପୋଲ । କେନ୍ଦୁଝର ହାଟଡିହି ବ୍ଲକ କାନପୁର ଗାଁର ଗଙ୍ଗାଧର ରାଉତ । ଜଣେ ଅବସରପ୍ରାପ୍ତ ପଶୁଚିକିତ୍ସା କର୍ମଚାରୀ । ସରକାରୀ ଚାକିରିରୁ ଅବସର ନେବା ପରେ ପେନସନ୍ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ପ୍ରଂଶସା ସାଉଁଟିଛନ୍ତି ଗଙ୍ଗାଧର । ପ୍ରଶାସନିକ ଉଦାସୀନତା ଯୋଗୁଁ ବର୍ଷ ବର୍ଷ ଧରି ଅଧା ଗଢା ହୋଇଥିବା ପୋଲ କାମକୁ ଶେଷ କରି ଗ୍ରାମବାସୀଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଗଙ୍ଗାଧର ରାଉତ ।

କାନପୁର ଗାଁର ଉପର ମୁଣ୍ଡରେ ସାଳନ୍ଦୀ ନଦୀ ବହୁଥିବା ବେଳେ ନଦୀ ଆରପଟେ ରହିଛି ଶହଶହ ଏକର ଚାଷ ଜମି ଓ ଆମ୍ବ ପଣସ ତୋଟା । ନଦୀରେ ପୋଲଟିଏ ନଥିବାରୁ ଗ୍ରାମବାସୀ ପାଣିରେ ପସି ଜମି ଓ ତୋଟାକୁ ଯା’ଆସ କରିଥାନ୍ତି । ଫଳରେ ବହୁ ଅସୁବିଧା ଭୋଗ କରିବାକୁ ପଡେ । ଯାହାକୁ ନଜରରେ ରଖି ସାଳନ୍ଦୀ ନଦୀ ଉପରେ ୧ ଲକ୍ଷ ଟଙ୍କାରେ ପୋଲ ନିର୍ମାଣ କାମ ଆରମ୍ଭ କରିଥିଲା ବଉଳା ଟ୍ରକ ଆସୋସିଏସନ୍ । ଗୋଟିଏ ସ୍ପାନ କାମ କରିଥିଲା ବଉଳା ଟ୍ରକ ଆସୋସିଏସନ୍ । ୧୫ ବର୍ଷ ପୂର୍ବେ ଏହି ପୋଲ ପାଇଁ ହାଟଡିହି ବ୍ଲକ ପ୍ରଶାସନ ୩ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ । ଯେଉଁଥିରେ ଆଉ ୨ଟି ସ୍ପାନ ଉପରେ ଛାତ ପଡିଥିଲା । ବାସ୍ ଏତିକିରେ ପ୍ରଶାସନ ଚୂପ ବସି ପଡିବା ପରେ ଗ୍ରାମବାସୀଙ୍କ ସମସ୍ୟା ସାମାଧାନ ପାଇଁ ହାତ ବଢାଇଛନ୍ତି ଅବସରପ୍ରାପ୍ତ ପଶୁଚିକିତ୍ସା କର୍ମଚାରୀ ଗଙ୍ଗାଧର ରାଉତ । ଚାକିରିରୁ ଅବସର ନେବା ପରେ ମିଳିଥିବା ଅର୍ଥ ଓ ପେନସନ୍ ଟଙ୍କାରେ ପୋଲ ନିର୍ମାଣ କାମକୁ ଆଗେଇ ନେଇଛନ୍ତି ଗଙ୍ଗାଧର ।

ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ପୋଲର ୭ଟି ସ୍ପାନ ନିର୍ମାଣ ସରିଛି । ଜୁନ ଶେଷ ସୁଧା ଆଉ ୫ଟି ସ୍ପାନ ନିର୍ମାଣ କରି ପୋଲ କାମକୁ ସମ୍ପୁର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗଙ୍ଗାଧର । ପୋଲ କାମ ସାରିବା ପାଇଁ ୧୨ଲକ୍ଷରୁ ଅଧିକ ଟଙ୍କାର ଆବଶ୍ୟକତା ଥିବା ବେଳେ ଏବେ ସୁଧା ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ଗଙ୍ଗାଧର । ଆଜିର ସ୍ୱାର୍ଥପର ଦୁନିଆରେ ନିଜର ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ପୋଲ ନିର୍ମାଣ କରି ଆଜିର ସମାଜ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ।