କେରଳରେ ପୁଣି ବ୍ୟାପିଲା ନିପା ଭାଇରସ । ମସ୍ତିସ୍କ ଜ୍ୱରରେ ଜଣେ ପୀଡିତ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କଲା ସ୍ପଷ୍ଟ ।

126

କନକ ବ୍ୟୁରୋ : କେରଳରେ ପୁଣି ଥରେ ନିପା ଭାଇରସ ବ୍ୟାପିବାରେ ଲାଗିଛି । ଏହି ମସ୍ତିଷ୍କ ଜ୍ୱରରେ ଜଣେ ବ୍ୟକ୍ତି ପୀଡିତ ଥିବା ଜଣାପଡିଛି । କୋଚିର ଜଣେ ୨୩ବର୍ଷୀୟ ଛାତ୍ର ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ୨୩ବର୍ଷୀୟ ଛାତ୍ରର ରକ୍ତ ପରୀକ୍ଷାରୁ ସେ ନିପା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ତେବେ ଏନେଇ ବ୍ୟତିବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜରୁରୀ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି । ଏନେଇ ସମୀକ୍ଷା କରାଯିବା ପରେ ବୈଠକରେ ଆଲୋଚନା କରାଯାଇଥିବା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସହାୟତା ପାଇଁ କେନ୍ଦ୍ରରୁ ବିଶେଷଜ୍ଞ ଓ ଅଧିକାରୀଙ୍କ ଦଳ କେରଳରେ ପହଂଚି ସାରିଛନ୍ତି । ୮୬ଟି ମାମଲା ନେଇ ସନ୍ଦେହ କରାଯାଉଥିବା ବେଳେ ଜଣେ ନିପା ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଆକ୍ରାନ୍ତ ହୋଇଥିବା ଛାତ୍ରଙ୍କ ନିକଟରେ ରହୁଥିବା ଅନ୍ୟ ଛାତ୍ର ମାନଙ୍କ ଉପରେ ବି ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।