ବିଦ୍ରୋହୀ ବିଧାୟକ ପୁଣିଥରେ ନିଷ୍ପତ୍ତିର ପୁନଃବିଚାର କରିପାରିବେ, ସେଥିରେ ସମସ୍ୟା ନାହିଁ : ଶରଦ ପାୱାର

202

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି କେଉଁ ମୋଡ ନେବ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ସିନ୍ଦେ ସରକାରରେ ଅଜିତ ପାୱାର ସାମିଲ ହେବା ପରେ ଏନସିପିରେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଅଜିତ ପାୱାର ଏନସିପି ପାର୍ଟି ଓ ଚିହ୍ନକୁ ନିଜ ପକ୍ଷରେ ରଖିବାକୁ ସବୁ ପ୍ରକାର ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଶରଦ ପାୱାର କହିଛନ୍ତି, ଏନସିପି ଦଳ ଓ ଚିହ୍ନ ଅନ୍ୟ କେଉଁଆଡେ ଯିବନି । ଏପରିକି ନିଜେ ଶରଦ ପାୱାର ନିର୍ବାଚନମଣ୍ଡଳୀ ବୁଲି ସମର୍ଥନ ଜୁଟାଇବାରେ ଲାଗିଛନ୍ତି । ଶରଦ ପାୱାର ପ୍ରଥମେ ବିଦ୍ରୋହୀ ବିଧାୟକ ଛଗନ ଭୁଜବଳଙ୍କ ନିର୍ବାଚନମଣ୍ଡଳୀରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଏପରିକି ଛଗନଙ୍କୁ ବିଧାୟକ ଭାବେ ନିର୍ବାଚିତ କରାଇବାରେ ସାଥ୍ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । କେବଳ ଏତିକି ନୁହେଁ ଶରଦ କହିଛନ୍ତି, ଯଦି କୌଣସି ବିଦ୍ରୋହୀ ବିଧାୟକ ନିଷ୍ପତ୍ତି ବଦଳାଇ ପୁଣିଥରେ ଫେରି ଆସିବାକୁ ଚାହୁଁଥାନ୍ତି ତେବେ ସେଥିରେ କୌଣସି ସମସ୍ୟା ନାହିଁ ।

ଛଗନ ଭୁଜବଳଙ୍କ ଗଡରେ ଶରଦ କହିଛନ୍ତି, ମୁଁ ଏଠାକୁ କାହା ବିରୋଧରେ ଅଭିଯୋଗ ନେଇ ଆସିନି ବରଂ ସମସ୍ତଙ୍କୁ କ୍ଷମା ମାଗିବାକୁ ଆସିଛି । ଭୁଲ ନିଷ୍ପତ୍ତି ନେଇଥିବାରୁ ମୁଁ ଦୁଃଖିତ । ଆପଣ ମୋତେ ଭରସା କରି ଦଳକୁ ଭୋଟ ଦେଇଥିଲେ । କିନ୍ତୁ ମୋର ନିଷ୍ପତ୍ତି ଭୁଲ ଥିଲା, ସେଥିପାଇଁ ଭୁଲ ମାଗୁଛି । ତେବେ ପ୍ରତିଶ୍ରୁତି ଦେଉଛି ଏଭଳି ଭୁଲ ଦ୍ୱିତୀୟଥର ହେବନି । ଏଭଳି କହି ଛଗନ ଭୁଜବଳଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ ଶରଦ । ଏସବୁ ଭିତରେ ମହାରାଷ୍ଟ୍ର ବାଚସ୍ପତି ଶିବସେନାର ଉଭୟ ପକ୍ଷକୁ ନୋଟିସ ଜାରି କରିବା ସହ ସଦସ୍ୟ ପଦ ଅଯୋଗ୍ୟତା ଉପରେ ଜବାବ ମାଗିଛନ୍ତି । ତେଣୁ ଆଗକୁ ମହାରାଷ୍ଟ୍ର ରାଜନୀତି କେଉଁ ମୋଡ ନେବ ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ।