ଚାରି ବିଧାୟକ ଲାଂଚ ମାଗିବା ମାମଲାରେ ନୂଆ ମୋଡ ! ମୁଖ୍ୟମନ୍ତ୍ରୀ କହିଲେ, ‘ଅନୁଧ୍ୟାନ କରିବି’

50

କନକ ବ୍ୟୁରୋ : ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ବିଜେଡିର ୪ ବିଧାୟକ ଲାଂଚ୍ ମାଗିବା ଘଟଣାରେ ନୂଆ ମୋଡ ଆସିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଷ୍ଟିଙ୍ଗ୍ ଅପରେସନ୍ କରିଥିବା ରବି ଶର୍ମାଙ୍କ ଆବେଦନକୁ ଓଡ଼ିଶା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏବେ ପ୍ରଶ୍ନ ଉଠିଛି, ମୁଖ୍ୟମନ୍ତ୍ରୀ ଗତ ବର୍ଷ ଏହି ମାମଲାକୁ ତଦନ୍ତ ପାଇଁ ଭିଜିଲାନ୍ସକୁ ଦେଇଥିବା ବେଳେ ତଦନ୍ତ କେତେ ବାଟ ଗଲା ତାହା ସାଧାରଣରେ ପ୍ରକାଶ ପାଇନାହିଁ । ତଦନ୍ତର ସ୍ଥିତି କ’ଣ ସେ ନେଇ ଆଜି ସଚିବାଳୟରେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- ଘଟଣାର ଅନୁଧ୍ୟାନ କରିବି ବୋଲି କହିଥିଲେ ।

ଗତବର୍ଷ ଜଣେ ଅଣ୍ଡର କଭର୍ ଜର୍ଣ୍ଣାଲିଷ୍ଟ ଭାବେ ରବି ଶର୍ମା ୪ ଜଣ ବିଧାୟକଙ୍କ ପାଖକୁ ଯାଇଥିଲେ । ବିଧାୟକ ମାନେ ହେଲେ କରଂଜିଆ ବିଧାୟକ ବିଜୟ ନାୟକ, ଭବାନୀପାଟଣା ବିଧାୟକ ଅନାମ ନାୟକ, ଛେଂଡିପଦା ବିଧାୟକ ସୁଶାନ୍ତ ବେହେରା ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ସେହି ବିଧାୟକମାନେ ୫ରୁ ୪୦ କୋଟି ପର୍ଯ୍ୟନ୍ତ ନେଇ ଶିଳ୍ପ ପତ୍ରିଷ୍ଠା ପାଇଁ ଏନ୍ଓସି କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଷ୍ଟିଙ୍ଗ୍ ଅପରେସନ୍ “କନକନ୍ୟୁଜ୍’’ରେ ପ୍ରସାରିତ ହେବା ପରେ ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ଓ ମୁଖ୍ୟମନ୍ତ୍ରୀ ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।