କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ରଘୁବୀର ଦାସ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବା ସମୟସୀମା ଆଜି ଶେଷ ହୋଇଛି । ଗତ ଜୁଲାଇ ୩୦ ତାରିଖରେ ତଦନ୍ତ କମିଶନ ଜଷ୍ଟିସ ରଘୁବୀର ଦାସଙ୍କ ନିର୍ଦ୍ଦେଶ ମୁତାବକ ଧାର୍ଯ୍ୟ ସମୟ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏନେଇ ପୁରୀ ଜିଲ୍ଲାପାଳ, ମନ୍ଦିର ପ୍ରଶାସନ ଓ ରାଜ କିଶୋର ମହାନ୍ତି ନାମକ ଜଣେ ବ୍ୟକ୍ତି ସତ୍ୟପାଠ ଦାଖଲ କରିଛନ୍ତି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ କମିଶନ ରଘୁବୀର ଦାସ ଏହି ସତ୍ୟପାଠ ଗୁଡିକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ଜୁଲାଇ ୩୦ ତାରିଖ ଦିନ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶୁଣାଣି କରିଥିଲେ ତଦନ୍ତ କମିଶନ ବିଚାରପତି ରଘୁବୀର ଦାସ୍ । ପୁରୀ ସର୍କିଟ ହାଉସରେ ହୋଇଥିବା ଶୁଣାଣିରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଖିଥିବା ପକ୍ଷରେ ସନ୍ତୋଷ ପ୍ରକାଶ କରିନଥିବା ଜଣାଇଛନ୍ତି କମିଶନ । ତେଣୁ ୭ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ରଘୁବୀର ଦାସ । ଜଗନ୍ନାଥ ସଂସ୍କୃତି ଓ କୋଟିକୋଟି ଓଡିଆବାସୀଙ୍କ ଭାବାବେଗ ସହିତ ଜଡିତ ଥିବା ଏହି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠ ତଥ୍ୟଭିତିକ ନୁହେଁ ବୋଲି ମଧ୍ୟ ଜଣାଇଥିଲେ କମିଶନ ।
ତେବେ ଆଜି ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସତ୍ୟପାଠ କମିଶନଙ୍କ ହସ୍ତଗତ ହୋଇଛି । ଯାହାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ତର୍ଜମା କରିବେ ତଦନ୍ତ କମିଶନ ଜଷ୍ଟିସ ରଘୁବୀର ଦାସ । ସେପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ଘେରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଯାହାକି ୩ମାସ ଭିତରେ ରିପୋର୍ଟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ ଆଜି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଇଥିବା ସତ୍ୟପାଠରେ କ’ଣ ବାହାରିବ ନିଷ୍କର୍ସ? ଆସନ୍ତା ୧୪ ତାରିଖରେ ହେବାକୁଥିବା ପରବର୍ତ୍ତୀ ଶୁଣାଣିରେ ଖୋଲିବ କି ଚାବି ରହସ୍ୟ? ନାଁ ପୁଣି ରତ୍ନ ଭଣ୍ଡାର ଚାବିକୁ ନେଇ ବାହାରିବ କିଛି ରୋଚକ ତଥ୍ୟ । ଏଭଳି ଅନେକ ପ୍ରସଙ୍ଗ ଜଗନ୍ନାଥପ୍ରେମୀଙ୍କ ମନଙ୍କୁ ଆନ୍ଦୋଳିତ କରୁଛି ।