ଗରିବ ଟ୍ରକ୍ ଡ୍ରାଇଭରଙ୍କ ପୁଅ ଚନ୍ଦ୍ରଯାନ-୩ର ହିରୋ । ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ସୋହନ ଯାଦବ ।

791

କନକ ବ୍ୟୁରୋ: କଥାରେ ଅଛି ମନର ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ । ଏହାକୁ ଶତ ପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ଝାଡଖଣ୍ଡର ଯୁବ ବୈଜ୍ଞାନିକ ସୋହନ ଯାଦବ । ଅଭାବୀ ଘରର ପୁଅ ସୋହନ ପାଲଟିଛନ୍ତି ଚନ୍ଦ୍ରଯାନ- ୩ ମିଶନର ହିରୋ ।

ବାପା ଜଣେ ଟ୍ରକ୍ ଡ୍ରାଇଭର । ମା’ ଜଣେ ଗୃହିଣୀ । ୪ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ ସନ୍ତାନ ସୋହନ । ଟ୍ରକ୍ ଚଳାଇ ୬ ପ୍ରାଣୀ କୁଟୁମ୍ବ ପାଳିବେ କେତେ କଷ୍ଟ ତାହା ଆପଣ ଅନୁମାନ କରୁଥିବେ । ବାପା ଧୁରା ଯାଦବ ଟ୍ରକ୍ ଚଳାଇ ଯାହା ରୋଜଗାର କରନ୍ତି ତାହା ପରିବାର ପୋଷଣ ପାଇଁ ସମୁଦ୍ରକୁ ଶଂଖେ ପରି ମନେ ହଉଥିବାବେଳେ ଗରୀବ ବାପା , ମା’ଙ୍କ ଆଖିରେ କିନ୍ତୁ ପୁଅର ଭବିଷ୍ୟତ ଥିଲା ସବୁକିଛି । ନିଜେ ପେଟ କାଟି ପୁଅକୁ ମଣିଷ କରିବାକୁ ପଣ କରିଥିଲେ ବାପା, ଆଉ ମା’ ଦେବକୀ ଦେବୀ । କାରଣ ଏଥିପାଇଁ ପୁଅ ସୋହନଙ୍କ ମେଧାଶକ୍ତି ଓ ଉଚ୍ଚାକାଂକ୍ଷା ତାଙ୍କୁ ବାଧ୍ୟ କରିଥିଲା ।

୨୦୨୩ ଅଗଷ୍ଟ ୨୩ ତାରିଖକୁ ସାରା ବିଶ୍ୱରେ ଏକ ସ୍ୱର୍ଣ୍ଣିମ ସମୟ । କାରଣ ଚନ୍ଦ୍ରରେ ପାଦ ଦେଇ ଭାରତ ରଚିଛି ଅନନ୍ୟ ଇତିହାସ । ପୁରା ବିଶ୍ୱ ଆଜି ଭାରତର ଜୟଗାନ କରୁଛି । ଏହି ଐତିହାସିକ ସଫଳତା ପଛରେ ଯେଉଁ ବୈଜ୍ଞାନିକଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ସୋହନ ଯାଦବ । ପୁରା ମିଶନରେ ରହିଛି ସୋହନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆସନ୍ତୁ ଜାଣିବା କିଏ ଏହି ଯୁବ ବୈଜ୍ଞାନିକ ।

ବୈଜ୍ଞାନିକ ସୋହନଙ୍କ ବାପା ଜଣେ ଟ୍ରକ୍ ଡ୍ରାଇଭର । ମା’ ଜଣେ ଗୃହିଣୀ । ୪ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ ସନ୍ତାନ ସୋହନଙ୍କ ପିଲାବେଳ ଭାରୀ ଅଭାବ ଭିତରେ କଟିଛି । କିନ୍ତୁ ପିଲାବେଳୁ ତାଙ୍କ ମନରେ ଥିଲା ଗୋଟେ ଅସାଧାରଣ ଇଚ୍ଛା , ଗ୍ରହ ନକ୍ଷତ୍ରଙ୍କୁ ନେଇ ତାଙ୍କ ମନରେ ଉଙ୍କିମାରୁଥିଲା ଅସୁମାରୀ ପ୍ରଶ୍ନ । ପାଠପଢାରେ ଧୁରୀଣ ଥିଲା ସୋହନଙ୍କ ଇଚ୍ଛା ଶକ୍ତି ଆଗରେ ଅଭାବ ଯେପରି ନଇଁବାକୁ ବାଧ୍ୟ ହେଉଥିଲା । ଆର୍ଥିକ ସମସ୍ୟା ଭିତରେ ଥାଇ ବି ବାପା ଧୁରା ଯାଦବ ପୁଅର ପଢାକୁ ଗୁରୁତ୍ୱ ଦେଇଥିଲେ । ପ୍ରଥମେ ପଞ୍ଚମ ଶ୍ରେଣୀ ଯାଏଁ ଗାଁ ପାଖ ସରସ୍ୱତୀ ବିଦ୍ୟା ମନ୍ଦିରରେ ପଢିବା ପରେ ପ୍ରବେଶିକା ପରୀକ୍ଷା ଉତ୍ତିର୍ଣ୍ଣ ହୋଇ ନବୋଦୟରେ ପଢିଲେ । ସେଠାରୁ ଶିକ୍ଷା ସରିବା ପରେ ବରିୟାତୁ ସ୍ଥିତ ଡିଏଭି ରୁ ଦ୍ୱାଦଶ ଶେଷ କଲେ । ସେ ସମୟରେ ବାପାଙ୍କ ରୋଜଗାର ୩ ହଜାର ଟଙ୍କା ଥିବାବେଳେ କେବଳ ସୋହନଙ୍କ ପାଇଁ ଖର୍ଚ୍ଚ ହେଉଥିଲା ୨,୫୦୦ ଟଙ୍କା ।

ପଢାରେ ଆଗୁଆ ଥିବା ସୋହନଙ୍କ ସ୍ୱପ୍ନ ଏଭଳି ଥିଲା ଯେ, ଯାହାକୁ ପୂରଣ କରିବାକୁ ଯାଇ ବାଧକ ସାଜୁଥିବା ଆର୍ଥିକ ସମସ୍ୟାକୁ ବି ଆଡେଇ ଦେଇଥିଲେ । ଆଇଆଇଟିରେ ସ୍ଥାନ ପାଇବା ପରେ ତାଙ୍କ ସ୍ୱପ୍ନରେ ଯେପରି ଡେଣା ଲାଗିଥିଲା । ମାତ୍ର ୨୧ ବର୍ଷରେ ଇସ୍ରୋରେ ଏଣ୍ଟ୍ରିି କଲେ ସୋହନ । ଏଠାରେ ନିଜ ଅଧ୍ୟବସାୟର ଓ କଠିନ କର୍ତ୍ତବ୍ୟନିଷ୍ଠାରେ ସମସ୍ତଙ୍କ ନରଜକୁ ଆସିବା ପରେ ଚନ୍ଦ୍ରଯାନ -୨ ଅଭିଯାନରେ ସାମିଲ ହେଲେ ସୋହନ । ଦୁର୍ଭାଗ୍ୟକୁ ଏହା ଅଳ୍ପକେ ବିଫଳ ହେଲା ସତ । କିନ୍ତୁ ଚନ୍ଦ୍ରଯାନ -୩ ଅଭିଯାନ ପାଇଁ ପୁଣି ଅଣ୍ଟା ଭିଡିଲେ ସୋହନ । ଏହି ମୁନ୍ ମିଶନର ଲିଡ୍ ଗ୍ରୁପରେ ସାମିଲ ହେଲେ । ଆଉ ନିଜର ପରାକାଷ୍ଠା ଦେଖାଇଲେ ।

ପୁଅର ଏହି ଅଭିଯାନ ସଫଳ ହେଉ ବୋଲି ମାନସିକ କରି ବ୍ରତ ରଖିଥିଲେ ସୋହନଙ୍କ ମା’ । ଅଗଷ୍ଟ ୨୩ ତାରିଖ ତାଙ୍କ ପରିବାରରେ ଏକ ଅଲଗା ପ୍ରକାର ମାହୋଲ ଥିଲା । ସମସ୍ତେ ଚାକତ ପରି ଚାହିଁ ରହିଥିଲେ ଟିଭି ସ୍କ୍ରିନ୍ । ଆଉ ଠିକ୍ ୬ଟା ୪ ମିନିଟରେ ଯେତେବେଳେ ସଫଳତାର ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା, ସମସ୍ତେ ଖୁସିରେ ଝୁମିଥିଲେ । ଏତେ ବର୍ଷ ପରେ ତାଙ୍କର ପରିଶ୍ରମକୁ ଭଗବାନ୍ ସାର୍ଥକ କରିଛନ୍ତି ବୋଲି କହିଥିଲେ ସୋହନଙ୍କ ମା’ ଦେବକୀ ଦେବୀ ।