ପୋଲିସ୍ ବାବୁଙ୍କୁ ଫସାଇଦେଲା ପ୍ରିୱେଡିଙ୍ଗ୍ ଫଟୋସୁଟ୍ ! ଖାକି ପୋଷାକରେ ପ୍ରିୱେଡିଙ୍ଗ୍ ଫଟୋସୁଟ୍ ସାଙ୍ଗକୁ ଭାବିପତ୍ନୀଙ୍କ ଠାରୁ ନେଲେ ଲାଞ୍ଚ , ବିଭାଗ ପକ୍ଷରୁ ପଠାଗଲା ନୋଟିସ୍ ।

837

ଆଜିର ସମୟରେ ବିବାହ ପୂର୍ବରୁ ଦମ୍ପତି ନିଜର ଖୁସିର ମୁହୂର୍ତ୍ତକୁ ସାଇତି ରଖିବା ପାଇଁ ପ୍ରିୱେଡିଙ୍ଗ୍ ଫଟୋସୁଟ୍ କରାଇଥାନ୍ତି । ଯାହା ବର୍ତ୍ତମାନ ସମୟରେ ଏକ ଫ୍ୟାଶନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏହି ଫଟୋସୁଟ୍ ଯେ କାହା ପାଇଁ ଚିନ୍ତାର ବିଷୟ ହୋଇଯିବ ତାହା ପ୍ରଥମଥର ପାଇଁ ଶୁଣିବାକୁ ମିଳିଛି । ରାଜସ୍ଥାନରେ ଜଣେ ପୋଲିସ୍ କର୍ମଚାରୀ ଧନପତ ସିଂହ ନିଜର ପ୍ରିୱେଡିଙ୍ଗ୍ ଫଟୋସୁଟ୍ କରାଇବା ପରେ ବିଭାଗ ପକ୍ଷରୁ ତାଙ୍କ ପାଖକୁ ନୋଟିସ୍ ଜାରି କରାଯାଇଛି । ତାଙ୍କ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ୍୍ ବିଭାଗରେ ଏନେଇ ଚର୍ଚ୍ଚା ହେବା ସାଙ୍ଗକୁ ନୋଟିସ୍ ଜାରି କରାଗଲା । ଏହି ପୋଲିସ୍ କର୍ମଚାରୀଙ୍କ ଭାବିପତ୍ନୀ ଫଟୋସୁଟ୍ ସମୟରେ ସ୍ୱାମୀଙ୍କୁ ୟୁନିଫର୍ମରେ ଦେଖିବାକୁ ଚାହୁଁଥିଲେ । ଉଦୟପୁରର କୋଟଡା ଥାନାରେ କାର୍ଯ୍ୟରତ ଥିବା ଧନପତ୍ ସିଂହଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଆଇଜି ତାଙ୍କୁ ନୋଟିସ୍ ପଠାଇବାକୁ ବାଧ୍ୟ ହେଲେ । ୨ ମାସ ପୂର୍ବରୁ ସୁଟ୍ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି , ପୋଲିସ୍ ବାବୁ ଜଣକ ପ୍ରଥମେ ଟ୍ରାଫିକ୍ ପୋଲିସ୍ ଭାବେ କାର୍ଯ୍ୟରତ ଥିବାବେଳେ ବିନା ହେଲମେଟ୍ ପିନ୍ଧି ତାଙ୍କ ଭାବିପତ୍ନୀ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି । ଚାଲାଣ କାଟିବା ସମୟରେ ସେ ପୋଲିସବାବୁଙ୍କ ପକେଟ୍ ରେ ୫୦୦ ଟଙ୍କିଆ ନୋଟ୍ ଟିଏ ରୋମାଣ୍ଟିକ୍ ଅନ୍ଦାଜରେ ରଖୁଛନ୍ତି । ଏହାପରେ ଏହି ଟଙ୍କାକୁ ରିଲ୍ ଲାଇଫ୍ ଭଳି ଚୁମ୍ବନ ଦେଉଛନ୍ତି ପୋଲିସ୍ ବାବୁ । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ୍ ବାବୁଙ୍କ ରିୟଲ୍ ଲାଇଫ୍ ଏବେ ସଂକଟରେ ପଡିଯାଇଛି ।

ତେବେ ଏନେଇ ଆଇଜି ହୱା ସିଂହ ଘୁମାରିୟା ରାଜ୍ୟ ଏସପି ଏବଂ ନବନିଯୁକ୍ତ ପୋଲିସକର୍ମୀଙ୍କୁ ୟୁନିଫର୍ମ ପିନ୍ଧି ଏଭଳି କୌଣସି କାମ ନ କରିବା ପାଇଁ ତାଗିଦ୍ କରିବା ସହ ଭିଡିଓଟିକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଏହି ମାମଲାରେ ଜିଲ୍ଲା ପୋଲିସ୍ ଅଧିକାରୀ କ୍ୟାପଟେନ୍ କୈଲାସ୍ ବିଷ୍ଣୋଇ ମଧ୍ୟ ଘଟଣା ଉପରେ ବିଭାଗୀୟ ଜାଞ୍ଚ୍ କରିବାକୁ ଆଦେଶ ଦେଇଛନ୍ତି ।