ଭାରତୀୟ ରେଳବାଇର ଅଭିନବ ପ୍ରୟାସ : ରେଳଯାତ୍ରୀଙ୍କୁ ସଚେତନ କରିବ ଫିଲ୍ମି ଡାଇଲଗ, ରୋକିବ ଦୁର୍ଘଟଣା
ଭାରତୀୟ ରେଳପଥ ହେଉଛି ବିଶ୍ୱର ଦୀର୍ଘତମ ରେଳ ନେଟୱର୍କ, ଯେଉଁଠି ପ୍ରତିଦିନ ୨.୫ କୋଟି ଯାତ୍ରୀ ଯିବାଆସିବା କରନ୍ତି । ଯାତ୍ରୀଙ୍କ ଗମନାଗମନ ପାଇଁ ଏହା ଏକ ସୁଗମ ମାଧ୍ୟମ କାରଣ ଲୋକମାନେ ଶସ୍ତା ଓ ସୁବିଧାରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଇପାରନ୍ତି । ଏହା ଯେତେ ସୁବିଧା ଯୋଗାଇ ଦିଏ, ସେତିକି ସତର୍କ ମଧ୍ୟ କରାଏ । ଟ୍ରେନରେ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ରେଳବାଇ ଅନେକ ସମୟରେ ଯାତ୍ରୀଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳେ । ସଚେତନତା ସତ୍ୱେ ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାରୁ ବିହାରର କଟିହାର ଜଙ୍କସନ ଏକ ନିଆରା ପ୍ରୟାସ ଚଳେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
“ରେଳଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ” ସ୍ଥାନରେ ଶୁଣିବାକୁ ମିଳିବ ସିନେମା ଡାଇଲଗ । ଏହି ନିଆରା ପ୍ରୟାସ କଟିହାର ରେଳମଣ୍ଡଳରୁ ଆରମ୍ଭ ହେବାକୁ ଯାଉଛି । ଶାହରୁଖ ଖାନ ଓ କାଜୋଲଙ୍କ ସୁପରହିଟ ସିନେମା ‘ଦିଲବାଲେ ଦୁଲହନିୟା ଲେ ଜାଏଙ୍ଗେ ’ର ପ୍ରସିଦ୍ଧ ଡାଇଲଗ “ଯା ସିମରନ ଯା…ଜି ଲେ ଅପନୀ ଜିନ୍ଦଗୀ ”କୁ ନେଇ ତିଆରି ହୋଇଥିବା ଡାଇଲଗ “ନା ସିମରନ ନା, ଟ୍ରେନ ମେଁ ଭାଗ କର ନା ଚଢ଼ନା, ୟେ ଜାନଲେବା ହୋ ସକତା ହେ ” ପରିକା ଡାଇଲଗ ଷ୍ଟେସନରେ ଣୁଣିବାକୁ ମିଳିବ ।
ଏହାର ସୂଚନା ଦେବା ସହିତ ବରିଷ୍ଠ ଡିସିଏମ ବି.କେ ମିଶ୍ରା କହିଛନ୍ତି, ଏମିତି ଏକ ନିଆରା ଯୋଜନା ପ୍ରସ୍ତାବିତ ହୋଇଛି ଏବଂ ବର୍ତ୍ତମାନ ଏହା ଉପରେ କାମ ଚାଲିଛି । ନିକଟ ଭବିଷ୍ୟତରେ ଏହାକୁ କାର୍ଯ୍ୟକାରୀ କରାଯିବ । କଟିହାର ସହିତ ନ୍ୟୁ ଜଲପାଇଗୁଡି ଭଳି ବଡ ବଡ ଷ୍ଟେସନ ଓ ଅନ୍ୟ ଷ୍ଟେସନ ଗୁଡିକରେ ଶୁଣିବାକୁ ମିଳିବ ବୋଲି କହିଛନ୍ତି । ସେ କହିଛନ୍ତି, ଲୋକଙ୍କ ମନରେ ଟିଭି ସିରିୟଲ ଓ ଫିଲ୍ମର ଡାଇଲଗ ସହଜରେ ଜାଗା ନେଇଯାଏ ଓ ମୁଖସ୍ଥ ବି ହୋଇଯାଏ । ସେହି କାରଣରୁ ଟିଭି ସିରିୟଲ ଓ ସିନେମା ଡାଇଲଗ ସହ ମିଶୁଥିବା ସ୍ଲୋଗାନ ତିଆରି କରାଯାଉଛି । ଏହି ସ୍ଲୋଗାନ ଜରିଆରେ ଲୋକଙ୍କୁ ବିପଦ ବିଷୟରେ ବୁଝେଇବା ସରଳ ହେବ । କାରଣ ଅଧିକ ସମୟରେ ଲୋକ ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ଗତ କିଛି ଦିନରେ ଏପରି ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ଧ୍ୟାନରେ ରଖି ଫିଲ୍ମ ଓ ଟେଲିଭିଜନର ଡାଇଲଗକୁ ସ୍ଲୋଗାନର ରୂପ ଦିଆଯାଉଛି ।