ପୁଣି ରାହୁଲଙ୍କ ବିବାଦୀୟ ବୟାନ୍, ଗଣତନ୍ତ୍ର ଉପରେ ଉଠାଇଲେ ପ୍ରଶ୍ନ

69

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ୍ । ଏଥର ଦେଶରେ ନୁହେଁ ବରଂ ବିଦେଶରେ ରାହୁଲ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ଯୋଡୋ ଯାତ୍ରା ପରେ ରାହୁଲ ଏବେ ବିଟ୍ରେନ ଗ୍ରସ୍ତରେ ଯାଇଛନ୍ତି । ସେଠାରେ ଲଣ୍ଡନର ହାଉସ ଅପ୍ ପାର୍ଲ୍ୟାମେଣ୍ଟରେ ବିଟ୍ରିସ୍ ସଂସଦଙ୍କ ସହ ଆଲୋଚନା ଭିତରେ ରାହୁଲ ବିଜେପିକୁ ଟାର୍ଗେଟ ଜୋରଦାର ଆକ୍ରମଣ କରିଛନ୍ତି । ନିଜ ମନ୍ତବ୍ୟରେ ରାହୁଲ ବିଜେପି ଉପରେ କିଛି ଗମ୍ଭୀର ଅଭିଯୋଗ ଆଣିବା ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସ ଉପରେ ମଧ୍ୟ କିଛି ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।

ନଜର ପକାଇବା ଲଣ୍ଡନରେ ରାହୁଲଙ୍କ ବୟାନ୍ ଉପରେ

– ସଂସଦରେ ବିରୋଧୀଙ୍କ ସ୍ୱର ଚପାଯାଏ
– କହିବାକୁ ମିଳିନଥାଏ ସ୍ୱାଧୀନତା
– କିଛି କହିବା ବେଳେ ବନ୍ଦ କରିଦିଆଯାଏ ମାଇକ୍
– ନୋଟବନ୍ଦୀ ଓ ଜିସଏଟି ଉପରେ ସଂସଦରେ ଚର୍ଚ୍ଚା ପାଇଁ ନାହିଁ ଅନୁମତି
– ଭାରତୀୟ ଗଣତନ୍ତ୍ର ଦୁର୍ବଳ ହେଲେ, ପ୍ରଭାବିତ ହେବ ସାରା ବିଶ୍ୱ
– କଂଗ୍ରେସର ଅନ୍ତ ହୋଇଛି ବୋଲି ଭାବିବା ବିଜେପିର ମୁର୍ଖାମୀ

ବିଟ୍ରିଶ ସଂସଦର ଗ୍ରାଣ୍ଡ କମିଟି ରୁମ୍ରେ ରାହୁଲ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଦେଶରେ ବିଜେପି ଶାସନକୁ ଆସିବା ପରେ ବିରୋଧୀଙ୍କ ସ୍ୱରକୁ ଚାପି ଦିଆଯାଉଥିବା କହିଛନ୍ତି ରାହୁଲ । କହିଛନ୍ତି, ବିଜେପି ସବୁବେଳେ କ୍ଷମତାରେ ରହିବ, ଏବଂ କଂଗ୍ରେସ ଚାଲିଯିବ ବୋଲି ଭାବିବା ଏକ ହାସ୍ୟାସ୍ପଦ । କାରଣ ବିଜେପିର ୧୦ ବର୍ଷ ଶାସନ କ୍ଷମତାରେ ରହିବା ପୂର୍ବରୁ କଂଗ୍ରେସ ମଧ୍ୟ ୧୦ ବର୍ଷ ଶାସନ କ୍ଷମତାରେ ରହିଥିଲା । ତେଣୁ ବିଜେପି ସବୁବେଳେ ଶାସନରେ ରହିବ ବୋଲି ଭାବିବା ଭୁଲ୍ । ସେହିପରି ରାହୁଲ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା ଆରଏସଏସକୁ ଫାଶୀବାଦ ସଙ୍ଗଠନ ସହ ତୁଳନା କରି ଗମ୍ଭୀର ଆରୋପ ଲଗାଇଛନ୍ତି । ଆରଏସଏସକୁ ଇଜିପ୍ଟର ବିବାଦୀୟ ସଙ୍ଗଠନ ମୁସଲିମ୍ ବ୍ରଦରହୁଡ ସହ ତୁଳନା କରିଛନ୍ତି ରାହୁଲ ।
ସେପଟେ ରାହୁଲ ଗାନ୍ଧୀଙ୍କ ବୟାନକୁ ବିରୋଧ କରିଛି ବିଜେପି । ରାହୁଲ ଗାନ୍ଧୀ ନିଜ ବିଫଳତାକୁ ଲୁଚାଇବାକୁ ଯାଇ ଦେଶକୁ ବଦନାମ୍ କରିବାକୁ ଚେଷ୍ଟା କରୁଥିବା ବିଜେପି କହିଛି । ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ଦେଶରେ କେହି ତାଙ୍କ କଥା ନ ଶୁଣିବାରୁ ସେ ଏବେ ବିଦେଶ ଯାଇ ଚିକ୍ରାର କରୁଛନ୍ତି । ସେଠାକୁ ଯିବା ପରେ ଗଣତନ୍ତ୍ର, ଲଜ୍ଜା, ପରମ୍ପରା ସବୁ ଭୁଲିଯାଉଛନ୍ତି । ଆରଏସଏସ ବିରୋଧରେ ରାହୁଲ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ନିନ୍ଦନୀୟ ।

ବିଦେଶରେ ବିବାଦୀୟ ବୟାନ ଦେବା ରାହୁଲଙ୍କ ପାଇଁ ନୂଆ ନୁହେଁ । କିଛି ଦିନ ତଳେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଚୀନକୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ ରାହୁଲ । ଏହାସହ ଭାରତରେ ଗଣମାଧ୍ୟମ ଓ ନ୍ୟାୟିକ ବ୍ୟବସ୍ଥା ଉପରେ କବଜା କରାଯାଇଥିବା କଥା ମଧ୍ୟ କହିଥିଲେ ରାହୁଲ ।