ମନି ଲଣ୍ଡରିଂ ମାମଲା : ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, ପଚରାଉଚରା କରୁଛନ୍ତି ୩ ବରିଷ୍ଠ ଅଧିକାରୀ

112

କନକ ବ୍ୟୁରୋ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ଚାଲିଛି । ରାହୁଲଙ୍କୁ ଇଡିର ୩ ବରିଷ୍ଠ ଅଧିକାରୀ ପଚରାଉଚରା କରୁଛନ୍ତି । ଏହି ମାମଲାରେ ରାହୁଲଙ୍କୁ ଇଡି ଜୁନ୍ ୨ ତାରିଖରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ବିଦେଶରେ ଥିବା କହି ରାହୁଲ୍ ହାଜର ହୋଇପାରିନଥିଲେ । ଇଡିର ଦ୍ୱିତୀୟ ନୋଟିସ୍ ପରେ ରାହୁଲ୍ ଗାନ୍ଧୀ ଆଜି ହାଜର ହୋଇଛନ୍ତି । ଇଡିରେ ରାହୁଲ ଗାନ୍ଧୀଙ୍କ ହାଜର ହେବାକୁ ନେଇ କଂଗ୍ରେସ ସତ୍ୟାଗ୍ରହ କରିଛି । ଇଡିରେ ରାହୁଲ ହାଜର ହେବାକୁ ଥିବା ବେଳେ ସାରା ଦେଶରେ ପ୍ରାୟ ୨୫ଟି ଇଡି ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି ।

ଦିଲ୍ଲୀରେ କଂଗ୍ରେସ ନେତା ଓ କର୍ମକର୍ତ୍ତା ଏକତ୍ରିତ ପ୍ରତିବାଦ କରିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି । ନ୍ୟାସନାଲ ହେରାଲ୍ଡ ମନିଂ ଲଣ୍ଡରିଂ ମାମଲାରେ ସୋନିଆଙ୍କୁ ଜୁନ ୮ ତାରିଖରେ ଇଡିରେ ହାଜର ହେବାର ଥିଲା । କିନ୍ତୁ ୨ ତାରିଖରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଇଡିରେ ହାଜର ହେବାକୁ ସମୟ ମାଗିଥିଲେ । ଏହା ପରେ ଜୁନ ୨୩ ତାରିଖରେ ସୋନିଆଙ୍କୁ ହାଜର ହେବାକୁ ଇଡି କହିଥିଲା । ଏବେ ହସପିଟାଲରେ ଭର୍ତ୍ତି ହେବା ପରେ ସୋନିଆ ଇଡିରେ ହାଜର ହେବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।