ବିରୋଧୀ ଦଳ ନେତା ପଚାରିଲେ, ୫-ଟି କଣ ବିଭାଗ? ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଜବାବ, ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ୫-ଟି ଏକ ଚିନ୍ତାଧାରା, ଯାହା ସାଢେ ୪ କୋଟି ଓଡ଼ିଆଙ୍କୁ ଛୁଇଁଛି ।

146

କନକ ବ୍ୟୁରୋ : ୫-ଟିକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହାର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ଶୂନ୍ୟକାଳରେ ୫-ଟି କଣ ବିଭାଗ ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଯଦି ଏହା ବିଭାଗ ତେବେ ଏହାର ଅଫିସ କେଉଁଠି ଅଛି ? ରାଜୀବ ଭବନ, ଲୋକସେବା ଭବନ ନା ଖାରବେଳ ଭବନରେ ରହିଛି । ଯଦି ୫-ଟି ଗୋଟିଏ ବିଭାଗ ତେବେ ଏହାର ଅନ୍ୟ କର୍ମଚାରୀ ମାନେ କିଏ । ଅନ୍ୟ ବିଭାଗର କ୍ଷମତା ସଙ୍କୁଚିତ ପାଇଁ ଏହି ବିଭାଗ କରାଯାଇଛି କି ? ଯଦି ଏହା ଏକ ବିଭାଗ ତେବେ ବିଧାନସଭାରେ କାହିଁକି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେଉନି । ଯଦି ଏହା ଏକ ବିଭାଗ ତେବେ ସେ ବିଷୟ ରେ ଆମେ ବିଧାନସଭା ରେ ପ୍ରଶ୍ନ କରିବାକୁ ଚାହୁଁଛୁ, ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ସରକାର ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ।

ଜୟନାରାୟଣଙ୍କ ଏହି ପ୍ରଶ୍ନର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଗୃହରେ ପ୍ରଶାନ୍ତ କହିଛନ୍ତି, ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟାସ୍ପଦ । ୫-ଟି ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇ ପାରେ , ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତା ଧାରା । ଏହା ମହାମନ୍ତ୍ର ଭଳି କାମ କରୁଛି । ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ ୫-ଟି କୁ ଦେବାକୁ କହୁଛନ୍ତି । ୫-ଟି କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି । ବିରୋଧୀ ଦଳ ବି ୫-ଟି ସଚିବ ବୋଲି ସମ୍ବୋଧନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ୫-ଟି ବ୍ୟବସ୍ଥା ଏକ ଚିନ୍ତା ଧାରା । ସାଢେ ଚାରି କୋଟି ଓଡ଼ିଆଙ୍କୁ ଏହି ଚିନ୍ତାଧାରା ଛୁଇଁଛି ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି ।