ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ନାଟୋକୁ ଚେତାବନୀ ଦେଲେ ପୁଟିନ : କହିଲେ, ଋଷ ସହ ନାଟୋର ସିଧାସଳଖ ମୁହାଁମୁହିଁ ହେଲେ ବିଶ୍ୱବ୍ୟାପୀ ଆସିପାରେ ବଡ଼ ବିପର୍ଯ୍ୟୟ

109

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ନାଟୋକୁ ଚେତାବନୀ ଦେଇଛି । ପୁଟିନ କହିଛନ୍ତି ଯେ ଋଷ ସହ ନାଟୋର କୌଣସି ସିଧାସଳଖ ଯୁଦ୍ଧ କିମ୍ବା ମୁହାଁମୁହିଁ ପରିସ୍ଥିତି ହେଲେ, ଏହା ବିଶ୍ୱ ପାଇଁ ବଡ଼ ବିପର୍ଯ୍ୟୟ ଆଣିବ । କଜାଖସ୍ତାନୀ ରାଜଧାନୀ ଅସ୍ତାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ପୁଟିନ ଏ କଥା କହିଛନ୍ତି ।

ପୁଟିନ କହିଛନ୍ତି, ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନାଟୋ ପ୍ରତି ବିଶ୍ୱସନୀୟତା ଦେଖାଇ ଜର୍ମାନୀ ଭୁଲ୍ କରିଛି । ତିନିଲକ୍ଷ ସୈନ୍ୟଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ସେ ଗତମାସରେ ଯେଉଁ ଆଂଶିକ ସମାବେଶ ଘୋଷଣା କରିଥିଲେ, ତାହା ଦୁଇ ସପ୍ତାହ ଭିତରେ ଶେଷ ହେବ । ଏହାସହ ପୁଟିନ୍ ଭାରତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପୁଟିନ କହିଛନ୍ତି, ଗତମାସରେ ଉଜବେକିସ୍ତାନରେ ଆୟୋଜିତ ସମ୍ମିଳନୀରେ ଭାରତ ଓ ଚୀନ ୟୁକ୍ରେନରେ ଶାନ୍ତିପୂର୍ଣ୍ଣ ଆଲୋଚନାକୁ ସମର୍ଥନ କରିଥିଲେ । ପୁଟିନ ଆହୁରି କହିଛନ୍ତି, ବର୍ତ୍ତମାନ ୟୁକ୍ରେନ୍ ଉପରେ ଆକ୍ରମଣ ଆବଶ୍ୟକ ନାହିଁ । କାରଣ ଋଷ, ୟୁକ୍ରେନକୁ ଧ୍ୱଂସ କରିବାକୁ ଚିନ୍ତା କରୁନାହିଁ । ଋଷ ସର୍ବଦା ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପୁଟିନ କହିଛନ୍ତି ।

ତିନି ଦିନ ତଳେ ଜି-୭ ରାଷ୍ଟ୍ରମାନେ ରୁଷକୁ ଚେତାବନୀ ଦେଇଥିଲେ ଯେ ଯଦି ଋଷ ପରମାଣ ଅସ୍ତ୍ରର ପ୍ରୟୋଗ କରିବ, ତାହେଲେ ପରିସ୍ଥିତି ଭୟଙ୍କର ହେବ । ଜି-୭ ରାଷ୍ଟ୍ରମାନେ ଋଷର ପଦକ୍ଷେପକୁ ନିନ୍ଦା କରିଥିଲେ । ଋଷ ପରମାଣୁ ପ୍ରୟୋଗକୁ ନେଇ ଯେଉଁଭଳି ଦାୟିତ୍ୱହୀନ ଧମକ ଦେଇଛନ୍ତି, ତାହା ବିଶ୍ୱ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଋଷ ଯେଉଁ ରସାୟନିକ, ଜୈବିକ କିମ୍ବା ପରମାଣୁ ଅସ୍ତ୍ରର ଯେକୌଣସି ବ୍ୟବହାର କରିବା କଥା କୁହାଯାଉଛି, ତା’ର ପରବର୍ତ୍ତୀ ସ୍ଥିତି ବହୁତ ଘାତକ ହେବ ବୋଲି ଜି-୭ ରାଷ୍ଟ୍ରମାନେ କହିଛନ୍ତି ।