ଶ୍ରୀମନ୍ଦିର ଭିତରୁ ଉଠିଲା ସେଲଫି ! ଯାଂଚ ପରେ ବି ମନ୍ଦିର ଭିତରେ ଫଟୋ ଉଠାଇଲେ ପର୍ଯ୍ୟଟକ

127

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନର କଡା କଟକଣା ସତ୍ତେ୍ୱ ମନ୍ଦିର ଭିତରେ ଉଠିଲା ସେଲଫି । କିଛି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ସେଲଫି ନେଇ ନିଜ ଫେସବୁକରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି । ଏମିତି କି ରତ୍ନ ସିଂହାସନରେ ବିଜେ ମହାବାହୁଙ୍କ ଫୋଟ ମଧ୍ୟ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଯାହାକୁ ନେଇ ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ପକ୍ଷରୁ ବହୁ କଟକଣା କରାଯାଇଛି ।

ପୁର୍ବରୁ ଏନଏସଜିର ସ୍ୱତନ୍ତ୍ର ଟିମ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଯାଂଚ କରିଛି । ଏମିତିକି ମନ୍ଦିର ଭିତରକୁ କେହି ଭକ୍ତ ମୋବାଇଲ କି ଅନ୍ୟ କୌଣସି ସାମଗ୍ରୀ ନେଇ ପ୍ରବେଶ ଉପରେ କଟକଣା ରହିଛି । ଏଥିପାଇଁ ୪ ଦ୍ୱାରରେ ପୁଲିସ ନିୟୋଜିତ ଥିବାବେଳେ ଡିଟେକ୍ଟର ମାଧ୍ୟମରେ ଭକ୍ତଙ୍କୁ ଯାଂଚ କରାଯିବାର ନିୟମ ମଧ୍ୟ ରହିଛି । ହେଲେ ଏହା ସତ୍ତେ୍ୱ ମନ୍ଦିର ବେଢା ମଧ୍ୟକୁ କେମିତ ମୋବାଇଲ ନେଇ ଭକ୍ତ ପ୍ରବେଶ କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

ସୂଚନା ମୁତାବକ, ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ନିକଟ ଅତୀତରେ ଏନଏସଜିର ଏକ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । କିନ୍ତୁ ଏହା ଆଦୌ ସୁରକ୍ଷିତ ନୁହେଁ ସେ ନେଇ ପ୍ରମାଣ ମିଳିଛି । ବଙ୍ଗୀୟ ପର୍ଯ୍ୟଟକ ନିବେଦିତା ଦତ୍ତଙ୍କ ଫେସବୁକ୍ ପ୍ରୋଫାଇଲରେ ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନରେ ବିଜେ ମହାପ୍ରଭୁଙ୍କର ଫଟୋ ରହିଥିବା ବେଳେ ଶ୍ରୀମନ୍ଦିର ଭିତର ବେଢ଼ାରେ ପର୍ଯ୍ୟଟକଙ୍କ ସେଲଫି ଏହି ପ୍ରମାଣ ଦେଇଛି ।

ଅପରପକ୍ଷେ, ନିବେଦିତା ଏପରି ନିଷିଦ୍ଧାଞ୍ଚଳରେ କିପରି ଫଟୋ ଉଠାଇଲେ ବୋଲି ତାଙ୍କର ବଙ୍ଗୀୟ ବନ୍ଧୁମାନେ ଫେସବୁକରେ ପଚାରିଥିବା ପ୍ରଶ୍ନର ସ୍ୱାଭାବିକ ଉତ୍ତର ମଧ୍ୟ ସେ ରଖିଛନ୍ତି । ପୁଲିସ୍ ଅଧିକାରୀଙ୍କ ସାମ୍ନାରେ ମୋବାଇଲ ନେଇ ଭିତରକୁ ଗଲେ ବି କେହି ଜାଣି ପାରିଲେନି । ଖୋଲା ଖୋଲି ଭାବରେ ଫଟୋ ଉଠେଇଥିଲେ ବି କେହି କିଛି କହିଲେନି ବୋଲି ନିବେଦିତା କହିଛନ୍ତି । ସବୁ ପ୍ରଭୁଙ୍କର ଇଚ୍ଛା କହି ନିବେଦିତା ସଫେଇ ଦେଇଥିବା ବେଳେ ଏହି ଘଟଣା ଉଭୟ ମନ୍ଦିରର ସୁରକ୍ଷାରେ ପ୍ରଶ୍ନବାଚୀ ଛିଡ଼ା କରିଛି ।