ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ହତ୍ୟା ଘଟଣା : ୨ ଗିରଫ, ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି

220

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ପଟିଆଲାରୁ ଏମାନଙ୍କୁ ଗିରଫ କରିଛି ଟାକ୍ସ ଫୋର୍ସ । ମୁସେୱାଲାଙ୍କ ହତ୍ୟା ପରେ ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଘଟଣାର ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ଡିଜିପି । ଡିଜିପିି କହିଛନ୍ତି, ଏହା ହେଉଛି ଦୁଇ ଗ୍ୟାଙ୍ଗ୍ ମଧ୍ୟରେ ଝଗଡାର କାରଣ । କଣ୍ଠଶିଳ୍ପୀ ସିଦ୍ଧୁଙ୍କ ମ୍ୟାନେଜର ସଗନ ପ୍ରିତଙ୍କ ନାଁ ଭିକୁ ମର୍ଡର କେଶରେ ଥିଲା । ସେ ଏବେ ଅଷ୍ଟ୍ରେଲିଆ ପଳାଇ ଯାଇଛନ୍ତି ।

ତାର ପ୍ରତିଶୋଧ ନେବାକୁ ଯାଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏଭଳି ହତ୍ୟା କରିଛି । କାନାଡାରେ ଥିବା ବିଷ୍ଣୋଇ ଗ୍ୟାଙ୍ଗର ଲକି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱିକାର କରିଛି ବୋଲି ଡିଜିପି କହିଛନ୍ତି । ଏହି ଗୁଳିକାଣ୍ଡରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ସିଦ୍ଧୁ ଏବଂ ତାଙ୍କର ଦୁଇ ସାଙ୍ଗ ପଞ୍ଜାବର ନିଜ ଗାଁକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ପଞ୍ଜାବ ସରକାର ମୁସ୍ୱୋଲାଙ୍କ ସମେତ ୪୨୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ତାଙ୍କ ଗାଡିକୁ ୩୦ ରାଉଣ୍ଡ ଫାୟାରିଂ କରାଯାଇଥିଲା । ପୂର୍ବରୁ ତାଙ୍କ ପାଖରେ ୮ରୁ ୧୦ ଜଣ ଗନ୍ ମ୍ୟାନ୍ ଥିଲେ ।

ଏମାନଙ୍କୁ ୪କୁ ହ୍ରାସ କରାଯାଇଥିଲା । ଶନିବାର ପୁଣି ଏହାକୁ ୨କୁ କମାଯାଇଥିଲା । ହେଲେ ଗତକାଲି ସେମାନେ ତାଙ୍କ ସହ ନଥିଲେ । ପଞ୍ଜାବରେ ସିଦ୍ଧୁ ବେଶ୍ ଲୋକପ୍ରିୟ ସିଙ୍ଗର । ସିଦ୍ଧୁ ମୁସେୱାଲା ଗତ ବିଧାନସଭା ନିର୍ବାଚନରେ ମନସାରୁ କଂଗ୍ରେସ ଟିକେଟରେ ଲଢି ହାରିଯାଇଥିଲେ । ଘଟଣାକୁ ନେଇ ଉଭୟ ବିଜେପି ଏବଂ କଂଗେସ ପଞ୍ଜାବ ସରକାରଙ୍କୁ ଟାଗେର୍ଟ କରିଛନ୍ତି । ରାଜ୍ୟରେ ଆଇନଶୃଖଳା ବିପର୍ଯ୍ୟସ୍ତ ହୋଇଥିବା ସେମାନେ ଅଭିିଯୋଗ କରିଛନ୍ତି ।