ତାମିଲନାଡୁରେ ହିନ୍ଦୀ ଭାଷାକୁ ଜୋରଦାର ବିରୋଧ! ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଭାଷା ଲେଖାଥିବା ବୋର୍ଡରେ କଳା ରଙ୍ଗ ବୋଳିଲେ ଦୃବୁର୍ତ୍ତ ।

165

ତାମିଲନାଡୁରେ ହିନ୍ଦୀ ଭାଷାକୁ ବିରୋଧ ଜାରି ରହିଛି । ତାମିଲନାଡୁର ତ୍ରିଚି ଜିଲ୍ଲାରେ କିଛି ଅସାମାଜିକ ବ୍ୟକ୍ତି ସରକାରୀ ବାସଭବନ, ପୋଷ୍ଟ ଅଫିସ, ବିଏସଏନଏଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଭାଷାରେ ଲଗାଯାଇଥିବା ବୋର୍ଡରେ କଳା ରଙ୍ଗ ବୋଳି ଦେଇଛନ୍ତି । ବୋର୍ଡରେ ହିନ୍ଦୀ,ଇଂରାଜୀ ଓ ତାମିଲ ଭାଷାରେ କାର୍ଯ୍ୟାଳୟର ନାଁ ଓ ଠିକଣା ଲେଖାଯାଇଥିବା ବେଳେ କେବଳ ହିନ୍ଦୀ ଭାଷା ଉପରେ କଳା ରଙ୍ଗ ବୋଳିଥିଲେ ଦୃବୁର୍ତ୍ତ ।

କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ ବରଂ ତିରଚୁରପଲ୍ଲୀ ଏୟାରପୋର୍ଟରେ ଲାଗିଥିବା ବୋର୍ଡ ଉପରେ ମଧ୍ୟ କେହି କଳା ରଙ୍ଗ ବୋଳିଥିବା ଦେଖିବାକୁ ମିଳିଛି । ତେବେ କିଏ ଏହି ବୋର୍ଡରେ ରଙ୍ଗ ବୋଳିଛି ତାହାର ଖୋଳତାଡ ଏବେ ଆରମ୍ଭ ହୋଇଛି । ଏହାପୂର୍ବରୁ ରାସ୍ତା କଡରେ କିଲୋମିଟର ଦର୍ଶାଉଥିବା ବୋର୍ଡ ଉପରେ ମଧ୍ୟ କାଳି ବୋଳାଯାଇଥିଲା ।

ଗତ କିଛିଦିନ ହେବ ତାମିଲନାଡୁରେ ହିନ୍ଦୀ ଭାଷାକୁ ଜୋରଦାର ବିରୋଧ କରାଯାଉଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗଠିତ କମିଟି ଦେଶରେ ତିନି ଭାଷାର ଫର୍ମୁଲା ଲାଗୁ କରିବାକୁ ସୁପାରିଶ କରାଯାଇଥିଲା । ଏହାଦ୍ୱାରା ତାମିଲନାଡରେ ଇଂରାଜୀ, ସ୍ଥାନୀୟ ଭାଷା ସମେତ ହିନ୍ଦୀ ଭାଷାରେ ପାଠ ପଢିବାକୁ ସୁପାରିଶ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଏହି ନୂଆ ନୀତିକୁ ତାମିଲନାଡୁରେ ଡିଏମକେ ସମେତ ଅନ୍ୟ ଦଳ ମଧ୍ୟ ବିରୋଧ କରିଥିଲେ । ଏପରିକି ତାମିଲନାଡୁ ଲୋକଙ୍କ ପାଇଁ ହିନ୍ଦୀ ଭାଷା ବାଧ୍ୟତାମୂଳକ କରାଗଲେ ପରିସ୍ଥିତି ସାଂଘାତିକ ହେବ ବୋଲି ଡିଏମକେ ଧମକ ଦେଇଥିଲା । ଆଉ ଏହାପରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ସଫେଇ ଦେବାକୁ ମଧ୍ୟ ପଡିଥିଲା ।