ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

107

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଶୃଙ୍ଖଳିତ ରଥଯାତ୍ରା ସହ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ, ତା’ ଉପରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଚଳିତ ବର୍ଷ ଦୁଇଦିନ ରଥଯାତ୍ରା ପଡ଼ୁଥିବାରୁ ସମସ୍ତ ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର ।

୨୦ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା । ହାତରେ ସମୟ କମ ଥିବାରୁ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରସ୍ତୁତି ବୈଠକ । ସବୁଥର ଭଳି ଏଥର ମଧ୍ୟ ଶୃଙ୍ଖଳିତ ରଥଯାତ୍ରା କରାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ । ଶୃଙ୍ଖଳାର ସହ ରଥଯାତ୍ରା ସଂପନ୍ନ କରିବା ଓ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ୧୫ ଦିନ ବଦଳରେ ୧୩ ଦିନ ହେବ ଅଣସର ନୀତି । ୨ ଦିନ ସମୟ କମ ଥିବାରୁ ଶୃଙ୍ଖଳିତ ନୀତି ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ସରକାର ।

ପ୍ରଥମଥର ରଥଯାତ୍ରା ୨ ଦିନ ହୋଇପାରେ । ୫୩ ବର୍ଷ ପରେ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ୁଛି । ୧୩ ଦିନ ଭିତରେ ସବୁ ନୀତିକାନ୍ତି କରିବା ସମ୍ଭବପର ନଥିବାରୁ ଗୋଟିଏ ଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଆଦି ଥିବାରୁ ସେବାୟତଙ୍କ ଚିନ୍ତା ବଢ଼ିଯାଇଛି । ସେପଟେ ରଥଯାତ୍ରାକୁ ସୁଚାରୁରୂପେ ଆୟୋଜନ କରାଇବା ନୂଆ ସରକାରଙ୍କ ପକ୍ଷେ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ସେଥିପାଇଁ ରଥଯାତ୍ରା ପରିଚାଳନାରେ ଅଭିଜ୍ଞତା ଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ପରବର୍ତୀ ସମୟରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ମଧ୍ୟ ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ ।