କମିସନରେଟ୍‌ ପୁଲିସ ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ : ପୂଜା ପୂର୍ବରୁ ରାଜଧାନୀରେ ରାସ୍ତା ନିର୍ମାଣ ସାରିବାକୁ ଅନୁରୋଧ

51

କନକ ବ୍ୟୁରୋ: ଜାଇକା ଓ ଓପିଟିସିଏଲ୍ ପାଇଁ ରାଜଧାନୀର ରାସ୍ତାଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡ୍ରେନେଜ୍ ବ୍ୟବସ୍ଥା, ପାଇପ ଲାଇନ୍ ଓ କେବୁଲ୍ ବିଛାଇବା ଆଦି ବିଭିନ୍ନ କାମ ପାଇଁ ଏହି ୨ ସଂସ୍ଥା ପକ୍ଷରୁ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ଯାଇଛି । ଏଥିଯୋଗୁଁ ରାସ୍ତାଗୁଡ଼ିକ ଅଣଓସାରିଆ ହେବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି । ସେହିପରି ରାସ୍ତା ଉପରେ ମାଟି ପଡ଼ି ରହିବାରୁ ସେଥିରେ ବର୍ଷାପାଣି ମିଶି ରାସ୍ତା ଉପରେ କାଦୁଅ ପଚପଚ ହେଉଛି । ଦୀର୍ଘ ଦିନଧରି ରାସ୍ତାଗୁଡ଼ିକୁ ଖୋଳାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏହି ଅବ୍ୟବସ୍ଥା ଚଳିତ ବର୍ଷ ଦୁର୍ଗା ପୂଜା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ସମସ୍ୟା ହେବ । ଗତକାଲି କମିସନରେଟ୍ ପୁଲିସ ପକ୍ଷରୁ କମିସନରେଟ୍ କାର୍ଯ୍ୟାଳୟରେ ଆୟୋଜିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏପରି ଅଭିଯୋଗ ଉଠିଥିଲା । ପୁଲିସ କମିସନର ଓ୍ଵାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୭୨ପୂଜା କମିଟିର ସଭାପତି, ସମ୍ପାଦକ ଓ ବରିଷ୍ଠ ଅଫିସରମାନେ ଉପସ୍ଥିତ ଥିଲେ ।

ହାତରେ ମାତ୍ର ଏକ ମାସ ସମୟ । ହାତଗଣତି କେଇଟା ଦିନ ପରେ ମା’ ଦୁର୍ଗାଙ୍କ ମୂର୍ତ୍ତିକାମ ଆରମ୍ଭ ହୋଇଯିବ । ବିଭିନ୍ନ ପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ମଧ୍ୟ ହୋଇସାରିଲାଣି । କିନ୍ତୁ ଏହି ସ୍ୱଳ୍ପ ସମୟ ମଧ୍ୟରେ ଜାଇକା ଓ ଓପିଟିସିଏଲ୍ ପକ୍ଷରୁ ରାଜଧାନୀରେ ଖୋଳା ଯାଇଥିବା ବିଭିନ୍ନ ସ୍ଥାନରେ କାମ ସରିବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । କେବେ କାମ ସରିବ ଏବଂ ରାସ୍ତାଗୁଡ଼ିକ ମରାମତି ହେବ ତା’ର କିଛି ଠିକ୍ ଠିକଣା ନାହିଁ । ଯଦି ରାସ୍ତାଗୁଡ଼ିକ ଏପରି ବିପର୍ଯ୍ୟସ୍ତ ଅବସ୍ଥାରେ ରୁହେ, ତେବେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଏହାର ସମାଧାନ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପସ୍ଥିତ ପୂଜା କମିଟି କର୍ମକର୍ତ୍ତାମାନେ କମିସନର୍ ଶ୍ରୀ ଖୁରାନିଆଙ୍କୁ ଅନୁରୋଧ କରିଥିଲେ ।

ଭାରୀଯାନ ଚଳାଚଳରେ କଟକଣା!

ଆସନ୍ତା ଦୁର୍ଗାପୂଜା ସମୟରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନେଇ କମିସନରେଟ୍ ପୁଲିସର ଟ୍ରାଫିକ୍ ବିଭାଗ ଚିନ୍ତାରେ ପଡ଼ିଯାଇଛି । ଭୂତଳ କାମ ପାଇଁ ଜାଇକା ଓ ଓପିଟିସିଏଲ୍ ପକ୍ଷରୁ ରାଜଧାନୀର ଅଧିକାଂଶ ସ୍ଥାନରେ ରାସ୍ତାଗୁଡ଼ିକୁ ଖୋଳା ଯାଇଛି । ରାସ୍ତାଗୁଡ଼ିକରେ ବଡ଼ ବଡ଼ ଗାତ ସୃଷ୍ଟି ହେବା ସହ ମାଟି କୁଢ଼ା ଯାଇଛି । ଫଳରେ ରାସ୍ତାଗୁଡ଼ିକ ଅଣଓସାରିଆ ହେବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି । ପୂଜା ସମୟରେ ଭିଡ଼ ଯୋଗୁଁ ରାସ୍ତାଗୁଡ଼ିକ ମଧ୍ୟ ଜାମ୍ ହେବ । ଅଣଓସାରିଆ ରାସ୍ତାକୁ ଲୋକଙ୍କ ଭିଡ଼; କିପରି ଟ୍ରାଫିକ୍ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରାଯିବ, ସେ ନେଇ ଏସିପି ଯତୀନ୍ ପଣ୍ଡାଙ୍କ ଚିନ୍ତା ବଢ଼ିଯାଇଛି । ତେଣୁ ରସୁଲଗଡ଼, ବମିଖାଲ, କଟକ ରୋଡ୍, ପୁରୁଣା ଷ୍ଟେସନବଜାର ଅଞ୍ଚଳରେ ସଂଧ୍ୟା ସମୟରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ମସୁଧା ଚାଲିଛି । ସେହିପରି ସହିଦନଗର, ନୂଆପଲ୍ଲୀ ଭଳି ଜନଗହଳି ଅଞ୍ଚଳରେ କଟ୍, ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ଓଭରବ୍ରିଜ୍ ତଳେ ଥିବା ସ୍ଥାନଗୁଡ଼ିକରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଯୋଜନା କରାଯାଉଛି । ଏହାବ୍ୟତୀତ ପୂଜାମଣ୍ଡପ ପାଖରେ ଥିବା ଛକଗୁଡ଼ିକରେ ଅଧିକ ସଂଖ୍ୟାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ମଧ୍ୟ ଯୋଜନା ଚାଲିଥିବା ସୂଚନା ମିଳିଛି ।

ସମସ୍ତ ପୂଜା ମଣ୍ଡପରେ ଲାଗିବ ସିସିଟିଭି

ଦୁର୍ଗାପୂଜା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ କମିସନରେଟ୍ ପୁଲିସକୁ ନାକେଦମ କରିବ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ କମିସନରେଟ୍ ପୁଲିସ ଚିନ୍ତାରେ ପଡ଼ିଯାଇଛି । ଭିଡ଼ର ସୁଯୋଗ ନେଇ ଲୁଟ୍ ପାଟ, ଚୋରି, ପକେଟ୍ ମାର୍ ଭଳି ଘଟଣା ଘଟିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । ଏହାଛଡ଼ା କୌଣସି ପ୍ରକାର ବିଶୃଙ୍ଖଳା ଓ ଅଘଟଣକୁ କିପରି ଏଡ଼ାଇ ଦିଆଯାଇପାରିବ, ସେ ନେଇ ସମସ୍ତ ପୂଜା ମଣ୍ଡପରେ ପର୍ଯ୍ୟାପ୍ତ ପରିମାଣର ପୁଲିସ କର୍ମଚାରୀ ମୁତୟନ ହେବ । ସେହିପରି ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମଣ୍ଡପ ଓ ମଣ୍ଡପ ବାହାରେ ସିସିଟିଭି ଲଗାଯିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କମିଟିଗୁଡ଼ିକୁ ସୂଚନା ଦିଆଯାଇଛି ।

ପରିମଳ ପାଇଁ ବିଏମସି ଯୋଗାଇବ କର୍ମଚାରୀ

ପ୍ରତିଦିନ ପୂଜା ମଣ୍ଡପଗୁଡ଼ିକରେ ସଫେଇ କରାଯିବ । ଏଥିପାଇଁ ବିଏମସି ପକ୍ଷରୁ ସଫେଇ କର୍ମଚାରୀ ଯୋଗାଇ ଦିଆଯିବ । ଅଳିଆ ଆବର୍ଜନାଗୁଡ଼ିକୁ ଉଠାଇବା, ଡ୍ରେନେ ସଫା କରିବା ଓ ପାଣି ଜମୁଥିବା ସ୍ଥାନ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ କମିସନର୍ ମାନସୀ ନିମ୍ଭାଲ କହିଛନ୍ତି । ଯଦି କୌଣସି ସ୍ଥାନରେ ଏପରି ସମସ୍ୟା ଦେଖାଦିଏ, ତେବେ ସେମାନେ ତୁରନ୍ତ ହେଲ୍ପ ଲାଇନ୍ ନମ୍ବର (୦୬୭୪-୨୪୩୦୦୩୮)ରେ ଅଭିଯୋଗ କରିପାରିବେ । ସେହିପରି ଭସାଣି ସମୟରେ ମଧ୍ୟ ଅସ୍ଥାୟୀ ପୋଖରୀ ପାଇଁ କୂଆଖାଇ ନଦୀରେ ବ୍ୟବସ୍ଥା କରାଯାଇଛି ଏହାଛଡ଼ା କେତେକ କମିଟି କୁଆଖାଇ ଅଞ୍ଚଳକୁ ଦୂର ଦର୍ଶାଇ ରଘୁନାଥପୁର ଅଞ୍ଚଳରେ ମୂର୍ତ୍ତି ବିସର୍ଜନ ନେଇ ଅସ୍ଥାୟୀ ପୋଖରୀ ପାଇଁ ଦାବି କରିଥିଲେ । ତେଣୁ ସେ ନେଇ ବିଚାର କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ପ୍ରଦୂଷଣମୁକ୍ତ ପୂଜା ପାଇଁ ଆହ୍ଵାନ

ଚଳିତ ବର୍ଷ ପୂଜାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ମୂର୍ତ୍ତିଗୁଡ଼ିକରେ ରାସାୟନିକ ରଙ୍ଗ ବ୍ୟବହାର ନ କରିବା, ତୋରଣଗୁଡ଼ିକୁ ପରିବେଶ ଉପଯୋଗୀ କରିବା, ଆତସବାଜୀ କାର୍ଯ୍ୟକ୍ରମରେ ୧୦୦-୧୨୦ ଡେସିବେଲ୍ ବାଣ ବ୍ୟବହାର, ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିଜେ ବଦଳରେ କମ୍ ଶବ୍ଦ ଯୁକ୍ତ ବକ୍ସ ବ୍ୟବହାର କରିବା । ରାତି ୧୦ଟା ପରେ ଡିଜେ ବନ୍ଦ କରିବା ଏବଂ ସ୍ୱତନ୍ତ୍ର ଅନୁରୋଧ କରିଥିବା ପୂଜାମଣ୍ଡପଗୁଡ଼ିକ ରାତି ୧୨ଟା ପୂର୍ବରୁ ବକ୍ସ ଓ ଡିଜେ ବନ୍ଦ କରାଯିବାକୁ ନିର୍ଦେଶ ଦିଆଯିବ । ସେହିପରି ମୂର୍ତ୍ତି ବିସର୍ଜନ କରାଯାଇଥିବା ଅସ୍ଥାୟୀ ପୋଖରୀକୁ ତୁରନ୍ତ ପରିଷ୍କାର କରିବା ପାଇଁ ମଧ୍ୟ ପୂଜାମଣ୍ଡପ କମକର୍ତ୍ତାମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦେଶକ ହାଡ଼ିବନ୍ଧୁ ପାଣିଗ୍ରାହୀ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।

ରହିବନି ପାଣି ସମସ୍ୟା

ପ୍ରତିବର୍ଷ ପାଣି ସମସ୍ୟା ହେଉଥିବା ଅଭିଯୋଗ ହୋଇଆସୁଛି । ତେଣୁ ଚଳିତବର୍ଷ କିପରି ପାଣିର ସମସ୍ୟା ନ ରହିବ, ସେ ନେଇ ପିଏଚଡି ବିଭାଗ ଅଣ୍ଟା ଭିଡ଼ିଛି । ସମସ୍ତ ମଣ୍ଡପକୁ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଇ ଦିଆଯିବ । ଯେଉଁ ମଣ୍ଡପକୁ ଅଧିକ ପାଣି ଦରକାର, ସେମାନେ ଆବଶ୍ୟକତା ଅନୁଯାୟୀ ବିଭାଗକୁ ଆଗୁଆ ଏକ ପତ୍ର ମାଧ୍ୟମରେ ଜଣାଇବେ । ଦରକାର ପଡ଼ିଲେ ପାଣି କଣ୍ଟେନର୍ ମଧ୍ୟ ଯୋଗାଇ ଦିଆଯିବ ବୋଲି ପିଏଚଡି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମଣ୍ଡପରେ ଲାଗିବ ଅଗ୍ନି ନିର୍ବାପକ ଯନ୍ତ୍ର

ଚଳିତ ବର୍ଷ ରାଜଧାନୀରେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେଣୁ ପୂଜା ସମୟରେ ଅଗ୍ନିକାଣ୍ଡ ଭଳି ଭୟଙ୍କର ବିପଦକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଜିରୋ କାଜୁଆଲଟି ନେଇ ଯୋଜନା ପ୍ରସ୍ତୁତି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ମଣ୍ଡପଗୁଡ଼ିକୁ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି । ଏହାଛଡ଼ା ମୁଖ୍ୟ ମଣ୍ଡପଗୁଡ଼ିକରେ ଜନଗହଳି ଯୋଗୁଁ ସେଠାରେ ୨୪ଘଣ୍ଟିଆ ଅଗ୍ନିଶମ ସେବା ଯୋଗାଇ ଦିଆଯିବ । ସେଠାରେ କର୍ମଚାରୀଙ୍କୁ ମୁତୟନ କରାଯିବା ସହ ଦମକଳ ଗାଡ଼ି ଓ ଉନ୍ନତମାନର ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବ ବୋଲି ବିଭାଗ ପକ୍ଷରୁ ଭାରପ୍ରାପ୍ତ ସହକାରୀ ଅଗ୍ନିଶମ ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି ।

ମଦ ଦୋକାନ ବନ୍ଦ ପାଇଁ ଦାବି

ପୂଜା ସମୟରେ ମଦ ଦୋକାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ ବୋଲି କେତେକ କମିଟି ସଦସ୍ୟ ଅନୁରୋଧ କରିଛନ୍ତି । ପୂଜା ସମୟରେ ନିଶାସକ୍ତ ଲୋକ ଅତ୍ୟଧିକ ମଦ ପିଇ ଅଘଟଣ ଘଟାଇବାର ପୂର୍ବ ବର୍ଷଗୁଡ଼ିକରେ ବହୁ ନଜିର ରହିଛି । ଏହାର ପ୍ରଭାବ ସିଧାସଳଖ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଥାଏ । ତେଣୁ ପୂଜା ୬ ଦିନ ରାଜଧାନୀରେ ଥିବା ସମସ୍ତ ମଦ ଦୋକାନଗୁଡ଼ିକୁ ବନ୍ଦ କରାଗଲେ ବହୁ ସମସ୍ୟାର ସମାଧାନ ହେବ ବୋଲି ସଦସ୍ୟମାନେ ଯୁକ୍ତି ବାଢ଼ିଛନ୍ତି । ତେବେ ମଦ ଦୋକାନ ବନ୍ଦ କରାଯିବ କି ନାହିଁ, ସେ ନେଇ ବିଚାର କରାଯାଉଛି ।