ପେଟ୍ରୋଲ, ଡିଜେଲ ପକାଇ ନିଆଁ ଲଗାଇଦେବାକୁ ଆହ୍ୱାନ : ବନ୍ଦ ପାଳନ ବେଳେ କର୍ମୀଙ୍କୁ ହିଂସା ପାଇଁ ଉସକାଇଲେ କଂଗ୍ରେସ ନେତା, ନ୍ୟାୟ ନମିଳିଲେ ସୁବାଷ ବୋଷ ନୀତି ଆପଣାଇବାକୁ ବୋଲି କହିଲେ ପ୍ରଦୀପ ମାଝୀ

767

କନକ ବ୍ୟୁରୋ : କର୍ମୀଙ୍କୁ ହିଂସା ପାଇଁ ଉସକାଇଲେ ପ୍ରଦୀପ ମାଝୀ । କଂଗ୍ରେସ ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଏକ ଭିଡ଼ିଓ ଚର୍ଚ୍ଚାରେ ରହିଛି । ପେଟ୍ରୋଲ ଓ ଡିଜେଲ ଢାଳି ନିଆଁ ଲଗାଇଦେବାକୁ କଂଗ୍ରେସ ନେତା ଖୋଲା ଆହ୍ୱାନ ଦେଉଥିବାର ଏକ ଭିଡ଼ିଓ ଭାଇରାଲ୍ ହେଉଛି । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦ ସମୟରେ କର୍ମୀଙ୍କୁ ଫୋନ ଯୋଗେ ଏଭଳି ଉସୁକାଇବା ଭିଡିଓ ଏବେ ସାମ୍ନାକୁ ଆସିଛି ।

ନିର୍ଦ୍ଦେଶ ମିଳିବା ସଙ୍ଗେ ସଙ୍ଗେ ତୁରନ୍ତ ନିଆଁ ଲଗାଇ ଦେବ । ପରେ ଯାହା ହେବ ଦେଖାଯିବ । ପ୍ରଦୀପ ମାଝୀ ଫୋନରେ ଏପରି କରିବାକୁ କର୍ମୀଙ୍କୁ ଖୋଲାଖୋଲି ନିର୍ଦ୍ଦେଶ ଦେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଏହି ବିବାଦୀୟ ବୟାନ୍ ଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ତେବେ ଏ ଭିଡ଼ିଓ ନେଇ ପ୍ରତ୍ରିକିୟା ରଖିଛନ୍ତି ପ୍ରଦୀପ ମାଝୀ । ସେ କହିଛନ୍ତି , ଶାନ୍ତିପୂର୍ଣ୍ଣ ଭାବେ ଆମେ ବନ୍ଦପାଳନକୁ ଆଗେଇ ନେଉଥିଲୁ । କିନ୍ତୁ ଆମକୁ ନ୍ୟାୟ ମିଳିଲା ନାହିଁ । ସରକାରଙ୍କୁ ଆମେ ଚେତାବନୀ ଦେବାକୁ ଚାହୁଁଛୁ ଯଦି ନ୍ୟାୟ ନମିଳେ ଏପରି କରିବାକୁ ବାଧ୍ୟ ହେବୁ । ଆମ ସାମ୍ବିଧାନିକ ଅଧିକାର, ମର୍ଯ୍ୟାଦା ପାଇଁ ଆମେ ଦରକାର ପଡ଼ିଲେ ଆଇନକୁ ହାତକୁ ନେବୁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶନରେ କଂଗ୍ରେସ ବିଶ୍ୱାସ କରେ । ହେଲେ ଦୁର୍ଭାଗ୍ୟଜନକ କଥା ହେଲେ ଅନେକ ଲଢ଼େଇ ପରେ ବି ଆମକୁ ନ୍ୟାୟ ମିଳିଲାନି । ଏଣୁ ସୁବାଷ ବୋଷଙ୍କ ନୀତି ଆପଣାଇବାକୁ ଆମେ ବାଧ୍ୟ ହେଉଛୁ ।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ଘଟଣାକୁ ପାଖାପାଖି ଦୁଇ ସପ୍ତାହ ବିତି ଯାଇଥିଲେ ବି ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସି ନ ଥିବା ଜଣାପଡ଼ିଛି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ ପୁଲିସ ପହଞ୍ଚି ନ ପାରିବା ପୁଲିସ ତଦନ୍ତର ଶିଥିଳତାକୁ ଦର୍ଶାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ।