ପିଲା ପଢିବେ ଭୂତ ପାଠ: ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ଭୂତ ବିଦ୍ୟା ସମ୍ପର୍କିତ ପାଠ୍ୟକ୍ରମ । ୬ ମାସିଆ କୋର୍ସରେ ଛାତ୍ରଛାତ୍ରୀ ଜାଣିପାରିବେ ଭୂତ ରହସ୍ୟ

659

କନକ ବ୍ୟୁରୋ: ଆପଣ ଭୂତପ୍ରେତଙ୍କ ଦୁନିଆ, ସେମାନଙ୍କ ଅଲୌକିକ କାରନାମା ବାବଦରେ ଜାଣିବାକୁ ଇଚ୍ଛୁକ କି ? ଯଦି ହଁ ତେବେ ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚୟୁ)ରେ ଏଥିପାଇଁ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଭୂତ ବିଦ୍ୟା ବା ସାଇନ୍ସ ଅଫ ପାରାନର୍ମାଲ ନାମରେ ଏହି ୬ ମାସିଆ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଭୂତ ବିଦ୍ୟା ସମ୍ପର୍କିତ ଏହି ପାଠ୍ୟକ୍ରମରେ ମନୋଚିକିତ୍ସା ସମ୍ବନ୍ଧୀୟ ବିକାରଗ୍ରସ୍ତ ରୋଗୀଙ୍କୁ କିଭଳି ଉପଚାର କରାଯାଇପାରିବ ସେ ନେଇ ପାଠ ପଢ଼ାଯିବ । ଯେଉଁ ଲୋକମାନେ ଭୂତକୁ ନେଇ ନିଜ ମନରେ ଭୟ ରଖୁଛନ୍ତି ସେମାନଙ୍କୁ କିଭଳି ଚିକିତ୍ସା କରାଯିବ ସେ ବାବଦରେ ଛାତ୍ରଛାତ୍ରୀ ପାଠ ପଢିପାରିବେ ।

ଏହି ପାଠ୍ୟକ୍ରମ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଆୟୁର୍ବେଦ ବିଭାଗ ଦ୍ୱାରା ଏହି ପାଠ୍ୟକ୍ରମକୁ ପରିଚାଳନା କରାଯିବ । ଭୂତ ଯୋଗୁଁ ହେଉଥିବା ମାନସିକ ରୋଗର ଚିକିତ୍ସା ବାବଦରେ ବ୍ୟାଚେଲର ଅଫ ଆୟୁର୍ବେଦିକ ମେଡ଼ିସିନ ଆଣ୍ଡ ସର୍ଜରୀ (ବିଏଏମଏସ) ଓ ବ୍ୟାଚେଲର ଅଫ ମେଡ଼ିସିନ ଆଣ୍ଡ ବ୍ୟାଚଲର ଅଫ ସର୍ଜରୀ (ଏମବିବିଏସ) ଡିଗ୍ରୀଧାରୀଙ୍କୁ ଏହି ପାଠ୍ୟକ୍ରମ ପଢ଼ାଯିବ ।

ଆୟୁର୍ବେଦ ବିଭାଗର ମୁଖ୍ୟ ଯାମିନୀ ଭୂଷଣ ତ୍ରିପାଠୀ କହିଛନ୍ତି ଯେ ଡାକ୍ତରମାନଙ୍କୁ ଔପଚାରିକ ଶିକ୍ଷା ପ୍ରଦାନ କରିବା ପାଇଁ ଆୟୁର୍ବେଦ ପାଠ୍ୟକ୍ରମରେ ଭୂତବିଦ୍ୟା ସମ୍ପର୍କିତ ଏକ ପାଠ୍ୟକ୍ରମକୁ ସ୍ଥାନ ଦିଆଯାଇଛି ।