ବିଜେଡିକୁ ଜୋରଦାର ଟାର୍ଗେଟ କଲେ ପ୍ରଦୀପ ପୁରୋହିତ । କହିଲେ, ଉପନିର୍ବାଚନ ଆସିଲେ ମନେପଡ଼େ ବିକାଶର କଥା । ବିକାଶ ପାଇଁ ବିଧାୟକଙ୍କ ମୃତ୍ୟୁକୁ କାହିଁକି ଅପେକ୍ଷା କରେ ବିଜେଡି?

ପଦ୍ମପୁର ପାଇଁ ୪୮୮ କୋଟିର ପ୍ରକଳ୍ପ ପରେ ପ୍ରଶ୍ନ କଲେ ବିଜେପି ନେତା ପ୍ରଦୀପ ପୁରୋହିତ

140

କନକ ବ୍ୟୁରୋ: ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀ ୪୮୮ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ କରିବାକୁ ଥିବାବେଳେ, ଏହାକୁ ନେଇ ଏବେ ତେଜିଛି ରାଜନୀତି । ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ବିଧାୟକଙ୍କ ମୃତ୍ୟୁ ହେଲେ ବିଜେଡି ବିକାଶ କଥା ଚିନ୍ତା କରେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଉଦଘାଟନ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଜନକଲ୍ୟାଣକାରୀ ଯୋଜନାର ପରିମାଣ ରହିଛି ୪୮୮ କୋଟି ଟଙ୍କା । ହେଲେ ଏହାକୁ ନେଇ ଏବେ ବିଜେପି ନେତା ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।

ପ୍ରଦୀପ ପୁରୋହିତ କହିଛନ୍ତି, ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପଛରେ ଭୋଟ ହାତେଇବାର ଷଡ଼ଯନ୍ତ୍ର ରହିଛି । ଅତୀତରେ ବିଜେପୁରରେ ସୁବଳ ସାହୁଙ୍କ ଦେହାନ୍ତ କାରଣରୁ ଉପନିର୍ବାଚନ ହେଲା, ନବୀନ ବାବୁ ବିଜେପୁରକୁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ । ଏହି ସମୟରେ ବିଜେପୁରର ହସ୍ପିଟାଲରେ ଡାକ୍ତର ପହଞ୍ଚିଗଲେ,ସ୍କୁଲରେ ଶିକ୍ଷକ ପହଞ୍ଚିଗଲେ ଆଉ ବିକାଶର ସୁଲେନି ସ୍ୱପ୍ନ ଦେଖାଇ ସେ ନିର୍ବାଚନ ଜିତିଲେ । ହେଲେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକେ ଏବେ ନିର୍ବାଚନ ପୂର୍ବରୁ ଆସିଥିବା ଡାକ୍ତର ଓ ଶିକ୍ଷକ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରୁଛନ୍ତି ।

ନିର୍ବାଚନ ପୂର୍ବରୁ ବିଜେପିରୁରେ ଯେଉଁ ଯେଉଁ ଘୋଷଣା ହୋଇଥିଲା ତାହା କୁଆଡେ ଗଲା ବୋଲି ବିଜେପୁର ବାସୀ କହୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ କହିଥିଲେ ବିଜେପୁର ଦାୟିତ୍ୱ ମୋର କିନ୍ତୁ ବିଜେପୁରରେ ମରୁଡ଼ି ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କର ଦେଖା ମିଳିଲାନି, ଚାଷୀ ମଣ୍ଡିରେ ଧାନ ବିକିବା ପାଇଁ ଟୋକନ ଲାପସ ହେଲା ନବୀନ ବୁଝିଲେ ନାହିଁ ବୋଲି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ଖାଲି ସେତିକି ନୁହେଁ ପ୍ରଦୀପ ପୁରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, ପଦ୍ମପୁର ପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ଘୋଷଣା କରାଯାଉଛି । ୨୨ ବର୍ଷ ଭିତରେ କାହିଁକି ଥରୁଟିଏ ପଦ୍ମପୁର ବିକାଶ କଥା ମନେ ପଡ଼ିଲା ନାହିଁ । ବିଧାୟକଙ୍କର ମୃତ୍ୟୁ ହୋଇଥିବାରୁ ଭୋଟ ପାଇଁ ସ୍ୱପ୍ନ ଦେଖାଉଛନ୍ତି ନା ବିକାଶର ସ୍ୱପ୍ନ ଦେଖାଉଛନ୍ତି । ଭୋଟ ହାତେଇବା ପାଇଁ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନବୀନ ବାବୁଙ୍କ ଏହା ହେଉଛି ଷଡ଼ଯନ୍ତ୍ର । କିନ୍ତୁ ପଦ୍ମପୁର ବାସୀ ଏହି ଉପନିର୍ବାଚନରେ ବିଜେଡିକୁ ଠିକ୍ ଜବାବ ଦେବେ ।