ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜନୈତିକ ଚର୍ଚ୍ଚା: ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଆଲେଖ୍ୟରେ ସଚିବଙ୍କ ଗସ୍ତ ସଂପର୍କରେ ତର୍ଜମା

308

କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚା ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି ସମ୍ବାଦ ସମ୍ପାଦକଙ୍କ ସମ୍ପାଦକୀୟଙ୍କ ସ୍ତମ୍ଭ ଆମ ଘରର ହାଲଚାଲ୍ । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ନାମରେ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିରେ ଫାଇଭ୍-ଟି ସଚିବଙ୍କ ଗସ୍ତ, ଗୋପାଳପୁର ବିଧାୟକଙ୍କୁ ବିରୋଧ, ମହିଳାଙ୍କ ପରେ ଛାତ୍ରଛାତ୍ରୀଙ୍କୁ ସଚିବଙ୍କ କାର୍ଯ୍ୟକ୍ରମରେ ସାମିଲ ଏବଂ ଇନ୍ଧିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜାରି ହୋଇଥିବା ଜରୁରୀକଳୀନ ସ୍ଥିତି ସମ୍ପର୍କରେ ଲେଖିଛନ୍ତି । ସମ୍ପାଦକୀୟରେ ଫାଇଭ୍-ଟି ସଚିବଙ୍କ ସମ୍ପର୍କରେ ଯାହା ଲେଖାଇଛି, ତାକୁ ନେଇ ରାଜନୈତିକ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି ।

ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା । ଆମ ଘରର ହାଲଚାଲ୍ ସ୍ତମ୍ଭରେ ସୌମ୍ୟରଂଜନ ପଟ୍ଟନାୟକ ଲେଖଥିବା ସମ୍ପାଦକୀୟ, ପୁଣି ଥରେ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି । ଗତ ୩ ମାସ ହେଲା ଫାଇଭ-ଟି ସଚିବଙ୍କ ଓଡ଼ିଶା ଗସ୍ତ ସଂପର୍କରେ ଏଥିରେ ସେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି- ପ୍ରଥମ କେତୋଟି ଜିଲ୍ଲା ଗସ୍ତ ସମୟରେ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହୁଥିଲେ । ଏବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଉଛି । ୫-ଟି ସଚିବ ହେଲିକପ୍ଟରରେ ଓହ୍ଲାଇ ସଭା ସ୍ଥଳକୁ ଯାଉଛନ୍ତି । ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି । ସଚିବ ସମବେତ ଜନତାଙ୍କ ନିମନ୍ତେ ଏକ ସ୍ୱଳ୍ପ ବକ୍ତବ୍ୟ ରଖୁଛନ୍ତି । କିନ୍ତୁ ପାଣ୍ଡିଆନ୍ ସାହେବ ଭୁଲି ଯାଉଛନ୍ତି ଯେ, ଏକ ସରକାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଯୋଗ ଦେଉଛନ୍ତି । ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ଦେଖି ସେ ବୋଧେ ଆତ୍ମବିଭୋର ହୋଇ ଉଚିତ ଅନୁଚିତର ପ୍ରଭେଦ ଭୁଲି ଯାଉଛନ୍ତି । ସଭାରେ ଯେଉଁ ମନ୍ତବ୍ୟ ରଖୁଛନ୍ତି, ତାହା ଗୋଟିଏ ଗୋଟିଏ ବିଲକ୍ଷଣର ସୂଚନା ଦେଉଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଘଟିଥିବା ଏକ ଘଟଣାକୁ ମନେ ପକାଇ ଦେଇଛନ୍ତି ସୌମ୍ୟରଂଜନ । ସେ ଲେଖିଛନ୍ତି- ୧୯୭୧ ନିର୍ବାଚନରେ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ସଚିବ ୟଶପାଲ୍ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଶ୍ରୀମତୀ ଗାନ୍ଧିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ପରେ ଶ୍ରୀମତୀ ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ । ପାଣ୍ଡିଆନ୍ ସାହେବଙ୍କର ଆଚରଣ ୟଶପାଲ କାପୁରଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ ।

ତାଙ୍କ ଆଲେଖ୍ୟରେ ସୌମ୍ୟରଂଜନ ଲେଖିଛନ୍ତି, ୫-ଟି ସଚିବଙ୍କର ଜିଲ୍ଲା ଗସ୍ତ ସମୟରେ ଆୟୋଜିତ ସଭାଗୁଡ଼ିକୁ ଗୋଟିଏ ଦୃଷ୍ଟିରୁ ବିଚାର କଲେ ଏଗୁଡ଼ିକ ନିର୍ବାଚନ ପୂର୍ବରୁ ଆୟୋଜିତ ରାଜନୈତିକ ଦଳର ସଭା ପରି ମନେ ହେଉଛି । ସଭାର ଆୟୋଜନରେ ଲୋକ ପ୍ରତିନିଧି ଓ ରାଜନେତା ସଂପୃକ୍ତ ଥିଲେ ମଧ୍ୟ ମଂଚରେ ସେମାନେ ଦୃଶ୍ୟମାନ ହେଉନାହାନ୍ତି । ମଞ୍ଚରେ କେବଳ ୫-ଟି ସଚିବଙ୍କୁ ଦେଖିବାକୁ ମିଳୁଛି । ଏହା ଏକ ଭିନ୍ନ ମାନସିକତାର ସୂଚନା ଦେଉଛି ।

ସେହିପରି ସାରା ଦେଶରେ ଚର୍ଚ୍ଚାରେ ଥିବା ଇସ୍ରୋର ଚନ୍ଦ୍ର ଅଭିଯାନର କଥାକୁ ଉଠାଇ ଲେଖିଛନ୍ତି, ଇସ୍ରୋ ସଂସ୍ଥା ସମୁଦାୟ ଚନ୍ଦ୍ରାବତରଣ ଅଭିଯାନରେ ମାତ୍ର ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆମ ୫ଟି ସଚିବ ୩୦ଟି ଜିଲ୍ଲା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ କରାଯାଉଛି । ସାରା ଦେଶ ଚନ୍ଦ୍ରାବତରଣକୁ ଗ୍ରହଣ କରିଥିବା ବେଳେ ଆମେ ଓଡିଶାରେ ପାଣ୍ଡିଆନ ସାହେବଙ୍କ ଓଡିଶା ଭ୍ରମଣକୁ ଅଧିକ ଗୁରୁତ୍ୱ ଦେଇ ଗ୍ରହଣ କରିନେଇଥିବା ପରି ମନେ ହେଉଛି ବୋଲି ଲେଖିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।