କମାଲ କରୁଛନ୍ତି ପୋଲିସ କୁକୁର । ଅପରାଧୀଙ୍କୁ ଖୋଜି ଖୋଜି ଧରୁଛନ୍ତି ପୋଲିସ କୁକୁର, ଶ୍ୱେତପତ୍ରରେ ପୂରା ତଥ୍ୟ ପ୍ରଦାନ କଲା ଗୃହ ବିଭାଗ ।

102

କନକ ବ୍ୟୁରୋ : ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେନେଇ ଶ୍ୱେତପତ୍ରରେ ଟିକିନିକି ତଥ୍ୟ ରଖିଛି ପୋଲିସ ବିଭାଗ । ୨୦୨୧ରେ ରାଜ୍ୟରେ କେତେ ସଂଖ୍ୟକ ମାମଲା ରୁଜୁ ହୋଇଛି ଓ କିଭଳି ମାମଲାର ଯାଞ୍ଚ କରି ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ସେନେଇ ଶ୍ୱେତପତ୍ରରେ ବିଷଦ ତଥ୍ୟ ପ୍ରକାଶ ପାଇଛି ।
ଅତ୍ୟାଧୁନିକ ଜ୍ଞାନକୌଶଳ ଭିତରେ ବି ଓଡ଼ିଶା ପୋଲିସ ପାଇଁ ଗୁରୁଦାୟିତ୍ୱ ତୁଲାଉଛନ୍ତି ଶ୍ୱାନବାହିନୀ । ରାଜ୍ୟର ୨୪ଟି ଜିଲ୍ଲାରେ ଓଡ଼ିଶା ପୋଲିସର ଶ୍ୱାନବାହିନୀ ସଂସ୍ଥା କାର୍ଯ୍ୟ କରୁଛି । ୨୦୨୧ରେ ଟ୍ରାକିଙ୍ଗ ଶ୍ୱାନମାନେ ୧୧୬୭ଟି ଧର୍ତ୍ତବ୍ୟ ମାମଲାର ତଦନ୍ତରେ ସାହାଯ୍ୟ ପାଇଁ ନିୟୋଜିତ ହୋଇଥିଲେ । ଆଉ ଏଥିରୁ ୩୨୭ଟି ମାମଲାରେ ଅନୁସନ୍ଧାନର ସୂତ୍ର ବାହାରିଥିଲା । ୬୮ଟି ମାମଲାରେ ଶ୍ୱାନମାନଙ୍କର ପ୍ରଂଶସନୀୟ କାମ ପାଇଁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।
ଏହାବାଦ୍ ବିସ୍ପୋରକ ପଦାର୍ଥ ଅନୁସନ୍ଧାନକାରୀ ଶ୍ୱାନମାନେ ମୋଟ ୧୧୬୯ଟି ଘଟଣାରେ ନିୟୋଜିତ ହୋଇଥିଲେ । ଅତି ବିଶିଷ୍ଟ ବ୍ୟକ୍ତିଙ୍କ ଗସ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ନକ୍ସଲ ଦମନ ସମୟରେ ରାଜ୍ୟରେ ନିୟୋଜିତ ହୋଇଥିଲେ । ୨ଟି ଘଟଣାରେ ଶ୍ୱାନ ଭୀମ୍ ଓ ଲଇକା ଅପରେସନ ସମୟରେ ବିସ୍ଫୋରକ ସାମଗ୍ରୀ ଠାବ କରି ଅନେକ ଜୀବନ ରକ୍ଷା କରିବା ସହ ପ୍ରଂଶସା ସାଉଁଟି ଥିଲେ । ସେହିଭଳି ପୋଲିସ ଶ୍ୱାନ ରେଶମୀ ଦ୍ୱାରା ୪୨ଟି ଘଟଣା ତଥା ୮ଟି ମାମଲାରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଥିଲା ।