କ୍ରିକେଟ ଉପରେ ପଡିଲା ଗ୍ରୀଷ୍ମ ପ୍ରବାହର ପ୍ରଭାବ । ପଡିଆରେ ୭ ଘଣ୍ଟା ବିତାଇବା ଖେଳାଳିଙ୍କ ପକ୍ଷରେ କଷ୍ଟକର

232

କନକ ବ୍ୟୁରୋ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରଭାବ କ୍ରିକେଟ୍ ଉପରେ ପଡ଼ିଛି । ପଡ଼ିଆ ଭିତରେ ୭ ଘଣ୍ଟା ବିତାଇବା ଖେଳାଳିଙ୍କ ପକ୍ଷରେ ମୁସ୍କିଲ ହୋଇପଡ଼ୁଛି । ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବେଳେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରବଳ ଗରମ ଖେଳାଳିଙ୍କୁ ଅସହ୍ୟ କରିଥିଲା । ବୋଲରମାନେ ପ୍ରତି ଓଭର ପରେ ପାଣି ମାଗୁଥିଲେ । ସେହିପରି ବ୍ୟାଟରଙ୍କ ମୁଣ୍ଡରେ ବରଫ ରଖାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ପୂରା ମ୍ୟାଚରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବ୍ରିଟେନରେ ସବୁ ପିଛିଲା ରେକର୍ଡ ଭାଙ୍ଗିଛି ପାରଦ । ପ୍ରଥମ ଥର ସର୍ବାଧିକ ତାପମାତ୍ରା ୪୦ ଦଶମିକ ୨ ଡିଗ୍ରୀ ସେଲ୍ସିୟସ୍ ହୋଇଛି । ପ୍ରତି ତିନି ବର୍ଷରେ ଥରେ ଏହିଭଳି ଅସହ୍ୟ ଗ୍ରୀଷ୍ମ ଲହରରେ ବ୍ରିଟେନ୍ ଭାଜି ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ୨୦୧୯ ଜୁଲାଇରେ ସର୍ବାଧିକ ତାପମାତ୍ରା ୩୮ ଦଶମିକ ୭ ଡିଗ୍ରୀ ହୋଇଥିଲା । ୟୁରୋପରେ ଜାରି ରହିଥିବା ଗ୍ରୀଷ୍ମ ଲହର ଏବେ ଉତରମୁହାଁ ହେଉଥିବା ଜଣାପଡ଼ିଛି ।

ସେପଟେ ଫ୍ରାନ୍ସ, ନେଦରଲାଣ୍ଡ, ପର୍ତୁଗାଲ, ସ୍ପେନ୍, ଗ୍ରୀସ୍ ଭଳି ୟୁରୋପୀୟ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପର୍ତୁଗାଲରେ ପାରା ୪୭ ଡିଗ୍ରୀ ପାର କରିଯାଇଛି । ଫ୍ରାନ୍ସରେ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି । ଫ୍ରାନ୍ସର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଗିରୋଣ୍ଡୋ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଜଙ୍ଗଲ ନିଆଁ ବ୍ୟାପୁଛି । ଏପର୍ଯ୍ୟନ୍ତ ୪୭ ହଜାର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି ।