ବିରୋଧୀ ଦଳଙ୍କ ମେଣ୍ଟ ନାମ ‘ଇଣ୍ଡିଆ’ ରଖିବାକୁ ନେଇ ବିବାଦ । ୨୬ ବିରୋଧୀ ଦଳ ବିରୋଧରେ ଥାନାରେ ଦାୟର ହେଲା ଅଭିଯୋଗ ।

309

କନକ ବ୍ୟୁରୋ: ୨୬ ବିରୋଧୀ ଦଳ ବିରୋଧରେ ପୋଲିସ ଷ୍ଟେସନରେ ଦାଖଲ ହେଲା ଅଭିଯୋଗ । ନିଜ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବା ଅଭିଯୋଗରେ ୨୬ ବିରୋଧୀ ଦଳ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର ଅବନୀଶ ମିଶ୍ର । ତାଙ୍କ ଅଭିଯୋଗ ହେଲା, ବିରୋଧୀମାନେ ନିଜ ମେଣ୍ଟର ନାମ ଇଣ୍ଡିଆ ରଖିଛନ୍ତି । ଏହା ଆଗାମୀ ୨୦୨୪ ନିର୍ବାଚନରେ ପ୍ରଭାବ ପକାଇବ । ତେଣୁ ବିରୋଧୀ ଦଳ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଗାମୀ ନିର୍ବାଚନରେ ବିଜେପିକୁ ହରାଇବାକୁ ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କର ବୈଠକ ବସିଥିଲା । ଏହି ବୈଠକରେ ୨୬ଟି ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ପାଟଣାରେ ହେଇଥିବା ବୈଠକ ପରେ ଏହା ଥିଲା ବିରୋଧୀ ଦଳମାନଙ୍କର ଔପଚାରିକ ବୈଠକ । ତେବେ ଏହି ବୈଠକ ପରେ ୨୬ଟି ବିରୋଧୀ ଦଳ ଏକାଠି ହେଇ ମେଣ୍ଟ ଗଠନ କରିଛନ୍ତି । ଯାହାର ନାମ ରହିଛି ଇଣ୍ଡିଆ ଅର୍ଥାତ ଇଣ୍ଡିଆନ୍ ନ୍ୟାସନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ୍ ଆଲାଏନ୍ସ ।

ବେଙ୍ଗାଲୁରୁରେ ବସିଥିବା ବୈଠକରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ ଯୋଗ ଦେଇଥିଲେ । ତା ସହିତ ଅନେକ ବିରୋଧୀ ଦଳର ନେତା ମଧ୍ୟ ଏହି ବୈଠକରେ ସାମିଲ ହେଇଥିଲେ । କୁହାଯାଉଛି ୟୁପିଏର ଏହା ହେଉଛି ନୂଆ ଭର୍ସନ । ତେବେ ବିରୋଧୀ ଦଳମାନଙ୍କର ଏହି ମେଣ୍ଟର ନାଁ ଇଣ୍ଡିଆ ରଖିବାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।