ତାଜମହଲ ପରିସରରେ ବନ୍ୟା ପାଣି । ୪୫ ବର୍ଷ ପରେ ଯମୁନା ଛୁଇଁଲା ତାଜମହଲ

209

କନକ ବ୍ୟୁରୋ : ତାଜମହଲ । କିଏ କହେ ଏହା ପ୍ରେମର ପ୍ରତୀକ ତ ପୁଣି କିଏ କହେ ଏହା ଐତିହ୍ୟର ସ୍ମାରକୀ । ପ୍ରେମର ପରିପ୍ରକାଶ ହେଉ କି ମନୋରଂଜନ ପାଇଁ ପର୍ଯ୍ୟଟକମାନେ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ଏହି ସ୍ଥାନକୁ   । ହେଲେ ଏବେ ଏହା ବିପଦରେ ଥିବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ଆସିବା ଯୋଗୁଁ ଅଧିକାଂଶ ସ୍ଥାନ ଜଳମଗ୍ନ । ଏହାରି ମଧ୍ୟରେ ବାଦ୍ ପଡ଼ିନି ତାଜମହଲ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ତାଜମହଲ ଏବେ ଜଳବନ୍ଦୀ । ତାଜମହଲ ପାଚେରୀକୁ ଛୁଇଁ ଲହଡି ଭାଙ୍ଗୁଛି ଯମୁନା ପାଣି । ତାଜମହଲ ପାଖରେ ଥିବା ଦଶହରା ଘାଟ, ତାଜମହଲ ପାଖ ବଗିଚା, ପାର୍କ ଆଦି ବନ୍ୟା ପାଣିରେ ବୁଡି ଯାଇଛି । ତେବେ ଦୀର୍ଘ ୪୫ବର୍ଷ ପରେ ତାଜମହଲ ପାଚେରୀକୁ ଯମୁନା ନଦୀର ପାଣି ଛୁଇଁଛି । ଯମୁନା ନଦୀର ଜଳସ୍ତର କିଛି ସମୟ ପାଇଁ କମୁଥିବାବେଳେ ପୁଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ଯଦି ଲଗାତର ଭାବେ ଯମୁନା ନଦୀର ଜଳସ୍ତର ବଢ଼େ ତେବେ ତାଜମହଲ ପ୍ରତି ବିପଦ ଆଶଙ୍କା କରାଯାଇଛି । ସେହିପରି ଦିଲ୍ଲୀର କିଛି ସ୍ଥାନରେ ବନ୍ୟାଜଳ ଛାଡ଼ିଯାଇଥିଲେ ମଧ୍ୟ ବର୍ଷା ଲାଗି ରହିଛି । ଏବଂ ଯମୁନା ନଦୀର ଜଳସ୍ତର ବଢ଼ୁଥିବାବେଳେ ରାଜଘାଟ ପରି ବହୁ ସ୍ଥାନ ଜଳ ଘେରରେ ରହିଛି । ଅନ୍ୟପଟେ ଆସାମରେ ଥିବା କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟାଜଳ ପଶିଥିବାରୁ ବନ୍ୟଜନ୍ତୁଙ୍କ ବସବାସ ପ୍ରଭାବିତ ହୋଇଛି । ବନ୍ୟଜନ୍ତୁଙ୍କ ବାସସ୍ଥାନରେ ପାଣି ପଶିଯାଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ।

ବିଭିନ୍ନ ସ୍ଥାନରେ ତାଣ୍ଡବ ରଚୁଚି ଜଳପ୍ରଳୟ । ଗତ କିଛି ଦିନ ହେବ ବନ୍ୟାଜଳରେ ରହିଆସୁଛନ୍ତି ଲୋକେ । ଜମ୍ମୁ କଶ୍ମିର, ମହାରାଷ୍ଟ୍ର, ଉତରପ୍ରଦେଶ , ଗୁଜରାଟ ଆଦି ବିଭିନ୍ନ ସ୍ଥାନରେ ଏବେ ବି ଲୋକେ ଜଳ ବନ୍ଦୀ ଜୀବନ ଯାପନ କରୁଛନ୍ତି । ବିଭିନ୍ନ ତଳିଆ ଅଂଚଳରେ ବନ୍ୟା ଜଳ ପଶିବା ପରି ପୁଲିସ ଷ୍ଟେସନ ଓ ହସ୍ପିଟାଲରେ ମଧ୍ୟ ବନ୍ୟାଜଳ ପଶିଛି । ସେହିପରି ଆସାମରେ ଲୋକମାନେ ବନ୍ୟାଜଳରେ ଯିବା ଆସିବା ଅସୁବିଧା ହୋଇଥିବାରୁ ବୋଟ୍ ଓ ନିଜେ ତିଆରି କରିଥିବା ଡ଼ଙ୍ଗାରେ ଯାତାୟତ କରୁଛନ୍ତି । ଗୋଟିଏ ପଟେ ବନ୍ୟାଜଳ କମି ନଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଅଲର୍ଟ କରାଯାଇଛି ।

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସାରା ଦେଶରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି ।