ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା: ହିତାହିତ ଜ୍ଞାନ ଭୁଲିଗଲା କୁଚିଣ୍ଡା ପୋଲିସ!

227

କନକ ବ୍ୟୁରୋ: କୁଚିଣ୍ଡାରେ ସୀମା ଟପିଛି ପୋଲିସ । ଜବରଦଖଲ ଉଛେଦ ବେଳେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିଛି । ଉଛେଦ ପୂର୍ବରୁ ଘରୁ ଆସବାବପତ୍ର ବାହାର କରିବାକୁ ସମୟ ମାଗିବାରୁ, ସାଧାରଣ ଲୋକଙ୍କୁ ମାଡ ମାରି ଲହୁ ଲୁହାଣ କରିଛି ପୋଲିସ । ଏପରିକି ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଦୃଶ୍ୟକୁ କ୍ୟାମେରାରେ କଏଦ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା କରିବାକୁ ପଛାଇନି ପୋଲିସ ।

ପ୍ରଶାସନକୁ ଜାଗା ଖାଲି କରିବା ପାଇଁ ସମୟ ମାଗିବା ଭୁଲ ହେଲା । ପ୍ରଥମେ ଥଇଥାନ ପରେ ଉଚ୍ଛେଦ ଦାବି କରିବା ଧୃଷ୍ଟତା ଥିଲା । କୁଚିଣ୍ଡା ତହସିଲ ଛକ ନିକଟ ମହେଶ ରାଏଙ୍କ ଘର ଉଚ୍ଛେଦ ବେଳେ ଗଣ୍ଡଗୋଳ ହୋଇଥିଲା । ପରିବାର ଲୋକ ବିରୋଧ କରିବାରୁ ଦୁଇ ପୁଅଙ୍କୁ ରାସ୍ତାରେ ଗଡେଇ ତଡେଇ ମାଡ ମାରିଲା ପୋଲିସ । ବଳପୂର୍ବକ ଗାଡିରେ ଭର୍ତିି କରି ବିଧା, ଚାପୁଡା ବର୍ଷା କଲେ, ବାଡିରେ ଖେଂଚା ବି ଦେଲେ । କୁଚିଣ୍ଡା ପୋଲିସର ଏଭଳି ଦାଦାଗିରି ଦେଖିବାକୁ ମିଳିଥିଲା ଉଚ୍ଛେଦ ବେଳେ । ସାଂଘାତିକ କଥା ହେଉଛି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଚାଲିଥିଲା । ଆଉ ସେସବୁ ଦୃଶ୍ୟକୁ କ୍ୟାମେରାରେ କଏଦ କରୁଥିବା କନକ ନ୍ୟୁଜ ପ୍ରତିନିଧିଙ୍କୁ ମଧ୍ୟ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ରବିବାର କୁଚିଣ୍ଡାର ଷ୍ଟେଟବ୍ୟାଙ୍କ ଛକ ଓ ତହସିଲ ଅଫିସ ନିକଟ ଛଳରୁ ପୋଲିସ ସହାୟତାରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ । ଲୋକଙ୍କୁ ବଳପୂର୍ବକ ଘରୁ ବାହାର କରି ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । ଏବେ କଣ କରିବେ କେଉଁଠି ରହିବେ, ତାଙ୍କର ଭବିଷ୍ୟତ କଣ ହେବ କିଛି ବୁଝି ପାରୁ ନାହାନ୍ତି । ଭାଗ୍ୟକୁ ନିନ୍ଦି ମାଟିରେ ମିଶିଥିବା ଭଙ୍ଗା ଘରୁ ଜରୁରୀ ସାମଗ୍ରୀ ଗୋଟାଇ ନେବାରେ ଲାଗିଛନ୍ତି ପରିବାର ଲୋକେ ।

ଉଚ୍ଛେଦକୁ ବିରୋଧ ଅଭିଯୋଗରେ ମହେଶ ରାଏଙ୍କ ସମେତ ଦୁଇ ପୁଅ ସଙ୍ଗତ ରାଏ ଓ ଅଙ୍ଗଦ ରାଏଙ୍କୁ ପୋଲିସ ଉଠାଇ ନେଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି ।