ପାଠ ଯୁକ୍ତ ଦୁଇ, ହେଲେ ପରିଚୟ ଡାକ୍ତର: ବର୍ଷ ବର୍ଷ ଧରି ରୋଗୀଙ୍କୁ ଚୂନ ଲଗାଉଥିବା ନକଲି ଡାକ୍ତରଙ୍କୁ ଧରିଲା ପୋଲିସ

696

କନକ ବ୍ୟୁରୋ: ଧରାପଡିଲେ ନକଲି ଡାକ୍ତର । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଜଣେ ନକଲି ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ନକଲୀ ଡାକ୍ତର ଜଣଙ୍କ ମୋଟା ଅଙ୍କରେ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ ହୋଇଥିଲା । ଆଉ ଏହି ନକଲି ଡାକ୍ତରଙ୍କୁ ଧରିବା ପାଇଁ ରୋଗୀ ବେଶରେ କ୍ଲିନିକ୍ରେ ପହଁଚିଥିଲେ ଦିଗପହଣ୍ଡି ଆଇଆଇସି ।

ନାଁ ଶୁଭ୍ରଜିତ ପଣ୍ଡା । ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ । କିନ୍ତୁ ବାବୁଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନିଜକୁ ବଡ଼ ବଡ ହସ୍ପିଟାଲର ଡାକ୍ତରର ପରିଚୟ ଦେଇ ବିଭିନ୍ନ ସ୍ଥାନରେ କ୍ଲିନିକ କରି ରୋଗୀଙ୍କୁ ଦେଖନ୍ତି । ଆଉ ଏମିତି କରି କମାଉଥିଲେ ମୋଟ ଅଙ୍କର ଟଙ୍କା । କିନ୍ତୁ ବାବୁଙ୍କ ଏହି କଳା କାରନାମାର ପୋଲ୍ ଖୋଲିଯାଇଛି । ଦୀର୍ଘ ଦିନ ଧରି ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଦେଖୁଥିବା ଏହି ବାବୁ ଏବେ ପୋଲିସ ପଂଝାରେ ପଡ଼ିଛନ୍ତି । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ନକଲି ଡାକ୍ତର ଶୁଭ୍ରଜିତଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ ।

ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କ ଚିକିତ୍ସା କରୁଥିଲେ । ଆଉ ରୋଗୀଙ୍କ ପିଛା ୩୦୦ ଟଙ୍କା ଫି’ସ ମଧ୍ୟ ନେଉଥିଲେ । ନକଲି ଡାକ୍ତର ରୋଗୀ ଦେଖୁଥିବାର ଅଭିଯୋଗ ଆସିବାପରେ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ହୋଇଥିଲା ଏକ ମାଷ୍ଟର ପ୍ଲାନ୍ । ଖୋଦ ଦିଗପହଣ୍ଡି ଆଇଆଇସି ନକଲି ରୋଗୀ ବେଶରେ ଯାଇ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛନ୍ତି । ଶୁଭ୍ରଜିତର ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ । ଶୁଭ୍ରଜିତର ସାନଖେମୁଣ୍ଡି କ୍ଲିନିକ ସମେତ କଟକର କ୍ଲିନିକ ଓ ଭଡା ଘରେ ବି ପୋଲିସ ଯାଂଚ କରିଛି । ଶୁଭ୍ରଜିତଙ୍କ ନାଁରେ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା । ଫେବୃଆରୀ ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହି ଡାକ୍ତର ସମ୍ମିଳନୀକୁ ଯାଇ ତେଲେଙ୍ଗାନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ ।

ଏଠି ପ୍ରଶ୍ନ ଉଠୁଛି
– କେମିତି ନିଜକୁ ନକଲି ଡାକ୍ତର ପରିଚୟ ଦେଇ ଦେଖୁଥିଲେ ରୋଗୀ?
– ଏତେ ଦିନ ଧରି କିପରି କାହା ନଜରକୁ ଆସୁନଥିଲେ ଠକ ଡାକ୍ତର?
– ମାତ୍ର ଯୁକ୍ତ ୨ ପାସ୍ କରି କେମିତି ପାଇଲେ ଡାକ୍ତର ସାର୍ଟିଫିକେଟ୍?
– ନକଲି ଡାକ୍ତରଙ୍କ ଚିକିତ୍ସାରେ ରୋଗୀଙ୍କ ସହ ଘଟିନି ତ କୌଣସି ଅଘଟଣ?