ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର-ପୂର୍ବ ରାଜ୍ୟ ଗସ୍ତ, ୬୮ ହଜାର କୋଟି ଟଙ୍କାର ଯୋଜନାର କରିବେ ଉଦଘାଟନ

96

କନକ ବ୍ୟୁରୋ : ଡିସେମ୍ବର ୧୮ ତାରିଖ ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ଯାଉଛନ୍ତି । ଏହି କ୍ରମରେ ସେ ଆଜି ମେଘାଳୟ, ଓ ତ୍ରିପୁରା ଦୁଇଟି ରାଜ୍ୟରେ ମୋଟ ୬୮ ହଜାର କୋଟି ଟଙ୍କାର ଯୋଜନାକୁ ଉଦ୍ଘାଟନ କରିବେ । ଏହି ପରିଯୋଜନା ମଧ୍ୟରେ କୃଷି, ସଡକ, ଆବାସ, ଦୂରସଂଚାର, ଆଇଟି ଓ ପର୍ଯ୍ୟଟନ ଭଳି ଯୋଜନାର ଉଦଘାଟନ କରିବେ ।

ଏହାସହ ଆଜି ଉତ୍ତର ପୂର୍ବ ପରିଷଦର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜନ କରାଯାଉଛି । ମେଘାଳୟର ରାଜଧାନୀ ସିଲଂରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବି ଭାଗନେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମୁତାବକ ସକାଳ ୧୦.୩୦ ରେ ସିଲଂ ସ୍ଥିତ କନଭେନସନ ସେଣ୍ଟରର ପୂର୍ବୋତ୍ତର ପରିଷଦର ସୂର୍ଣ୍ଣଜୟନ୍ତ୍ରୀରେ ଯୋଗଦେବେ । ଏହାପରେ ୧୧.୩୦ ରେ ସିଲଂ ସାର୍ବଜନିକ ସମାରୋହରେ ପହଂଚିବେ ପ୍ରଧାନମନ୍ତ୍ରୀ । ସେଠାରେ ସେ କିଛି ପରିଯୋଜନାର ଉଦଘାଟନ କରିବେ । ମେଘାଳୟ ପରେ ପ୍ରଧାନମନ୍ତ୍ରୀ ତ୍ରିପୁରା ଯିବେ  । ରାଜଧାନୀ ଅଗରତାଲାରେ ଦ୍ୱିପ୍ରହର ୨.୪୫ ରେ ପହଂଚିବେ । ସେଠାରେ ସେ କିଛି ଯୋଜନାର ଶିଳାନ୍ୟାସ କରିବା ସହ କିଛି ଯୋଜନାର ଉଦଘାଟନ କରିବେ ।

ଆଜିର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ଓ ପୂର୍ବୋତ୍ତର ୭ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।