ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଆଉ ୫ବର୍ଷ ଗରିବ ଲୋକଙ୍କୁ ମିଳିବ ମାଗଣା ରାସନ, ୮୦ କୋଟି ଲୋକ ହେବେ ଉପକୃତ

230

କନକ ବ୍ୟୁରୋ : ୫ରାଜ୍ୟରେ ଚାଲିଛି ନିର୍ବାଚନୀ ପ୍ରଚାର । ନେତାମାନେ ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । କିଏ ମହିଳାଙ୍କୁ ଭତ୍ତା ତ କିଏ ଚାକିରି ବାଣ୍ଟୁଛି ଭାଷଣରେ । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ ନିର୍ବାଚନୀ ପ୍ରଚାର ସଭାରେ ଏକ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ୮୦ କୋଟି ଲୋକଙ୍କୁ ଦିଆଯାଉଥିବା ମାଗଣା ରାସନ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ । ଏହାଦ୍ୱାରା ଦେଶର ୮୦ କୋଟି ଗରିବ ଲୋକ ଉପକୃତ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ କି ବିଜେପି ସରକାର ନିଷ୍ପତ୍ତି ନେଇଛି ଯେଉଁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି ତାର ଅବଧି ଆଉ ୫ ବର୍ଷ ବୃଦ୍ଧି କରାଯିବ । ଆପଣଙ୍କ ପ୍ରେମ ଓ ଭଲପାଇବା ମୋତେ ସର୍ବଦା ସଠିକ ନିର୍ଣ୍ଣୟ ନେବାରେ ସହାୟକ ହେଉଛି ବୋଲି ସେ କହିଛନ୍ତି ।

ସେହିଭଳି ନିର୍ବାଚନୀ ସଭାରେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି, କଂଗ୍ରେସ ମହାଦବେଙ୍କୁ ମଧ୍ୟ ଛାଡୁନାହିଁ । ବେଆଇନ ଅନଲାଇନ୍ ଗେମିଂ ଆପ ଜରିଆରେ କଂଗ୍ରେସ ଦୁର୍ନୀତି କରିଚାଲିଛି ।