ସ୍ୱାମୀଙ୍କ ଅନ୍ତେ ସଂସାର ରଥକୁ ଟାଣି ନେଉଛନ୍ତି ସ୍ତ୍ରୀ । ପିଲାଙ୍କୁ ପାଠପଢାଇ ମଣିଷ କରିବା ପାଇଁ ଗାଁ ଗାଁ ବୁଲି ଚୁଡି ବିକୁଛନ୍ତି ବିଧବା ମାଆ

150

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗାଁର ରଂଜିତା ସାହୁ । ଅନେକ ବର୍ଷ ହେଲାଣି ସ୍ୱାମୀ ଆରପାରିରେ । ହାତରେ ଶଙ୍ଖା ନାହିଁ, ମଥାରୁ ସିନ୍ଦୁର ଲିଭି ଯାଇଛି । ସ୍କୁଲ ଆଗରେ ବାଦାମ ମଟର ଆଉ ନଳି ବିକ୍ରି କରି ଦୁଇ ପିଲାଙ୍କୁ ପଢାଉଛନ୍ତି, ବଢାଉଛନ୍ତି । ହେଲେ ନାରୀଟିଏର ମନ ସବୁବେଳେ ଶଙ୍ଖା ସିନ୍ଦୁର ପ୍ରତି ଆକର୍ଷିତ । ଏଇ ଆକର୍ଷଣକୁ ଏଡାଇ ନପାରି ଅନେକ ସମୟରେ ହାତରେ ଚୁଡି ବ୍ୟାଗ ଧରି ବାହାରି ପଡନ୍ତି ବିକ୍ରି କରିବାକୁ । ନିଜେ ସିନା ବିଧବା, ହେଲେ ସଧବାଙ୍କ ହାତରେ ରଙ୍ଗବେରଙ୍ଗର ଚୁଡି ପିନ୍ଧାଇବାରେ ତାଙ୍କର ଢେର ଆଗ୍ରହ । କଷ୍ଟ କରି ଚାଲିଛନ୍ତି, ହେଲେ ଗରିବିର ବୋଝରୁ ମୁକୁଳି ପାରୁନାହାନ୍ତି । ଘର ବୋଲି ୩ ପ୍ରାଣୀ କୁଟୁମ୍ବ ଯେଉଁଠି ରହୁଛନ୍ତି ତାକୁ ଘର ବୋଲି କହିହେବନି । ବର୍ଷା ହେଲେ ପର ଘରେ ମୁଣ୍ଡ ଗୁଂଜିବାକୁ ପଡେ ।

ସରକାର ଗରିବ ନିରାଶ୍ରୟ ମହିଳାଙ୍କ କମ୍ ସୁଧରେ ଋଣ ବ୍ୟବସ୍ଥା କରିଛନ୍ତି । ପକ୍କା ଘର ଯୋଜନାରେ କିଛି ପଇସା ମିଳିଛି ସତ, କିନ୍ତୁ ସଂପୂର୍ଣ୍ଣ ନୂଆ ଘର କରିବା ଅସମ୍ଭବ । ଭାଇର ପୁଅ ଠାରୁ କିଛି ପଇସା ନେଇ ସେଥିରେ ଚୁଡି ବିକି ପରିବାର ଚଳାଇବା ପାଇଁ କସରତ କରୁଛନ୍ତି ରଂଜିତା । ଘରେ ଗୋଟିଏ ସାଇକେଲ । ଦୁଇ ପିଲା ସାଇକେଲରେ ସ୍କୁଲ ଗଲେ ମାଆ ପାଦରେ ଚାଲି ଚାଲି ବିଭିନ୍ନ ଗାଁ ବୁଲି ବେପାର କରନ୍ତି । ଆଉ ଯେଉଁଦିନ ମାଆ ସାଇକେଲ ନେଇ ଯାଆନ୍ତି, ସେଦିନ ପିଲାମାନେ ପାଦରେ ଯାଆନ୍ତି ସ୍କୁଲ । ବେଳେବେଳେ ପରଘରୁ ମାଗିଯାଚି ଖାଇବାକୁ ବି ପଡେ ।

  କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ଗଳ୍ପ ବୁଢା ଶଙ୍ଖାରୀରେ ବୃଦ୍ଧ ବ୍ୟକ୍ତିଜଣଙ୍କ ଗାଁ ଗାଁ ବୁଲି ଚୁଡି ବିକୁଥିଲେ । ଆଉ ଏ କାହାଣୀରେ ଜଣେ ବିଧବା ମହିଳା ନିଜ ପିଲାଙ୍କୁ ବଡ କରିବାକୁ ଚୁଡି ଓ ଷ୍ଟେସନାରୀ ସାମଗ୍ରୀ ବିକି ରୋଜଗାର କରିବାକୁ ଅଂଟା ଭିଡିଛନ୍ତି ।