ସ୍ୱଦେଶୀ ଅସ୍ତ୍ରର ଶକ୍ତି ଦେଖିବେ ପ୍ରଧାନମନ୍ତ୍ରୀ । ରାଜସ୍ଥାନ ପୋଖରାନ୍ ଗସ୍ତ କରିବେ ମୋଦୀ ।

55

କନକ ବ୍ୟୁରୋ: ସ୍ୱଦେଶୀ ଅସ୍ତ୍ର ଶକ୍ତି ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାଜସ୍ଥାନର ପୋଖରାନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଠାରେ “ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ପ୍ରଧାନମନ୍ତ୍ରୀ । ଭାରତ ଶକ୍ତି ସାମରିକ ଅଭ୍ୟାସରେ ସ୍ୱଦେଶୀ କୌଶଳରେ ତିଆରି ହୋଇଥିବା ଯୁଦ୍ଧାସ୍ତ୍ର ଗୁଡ଼ିକର ପ୍ରଦର୍ଶନ କରାଯିବ । ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ, ଏନେଇ ଏଠାରେ ପରୀକ୍ଷଣ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ୪୦ଟି ଦେଶର ପ୍ରତିନିଧି ବି ସାମିଲ ହେବେ ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଏହି ସାମରିକ ଅଭ୍ୟାସ ବେଳେ ଉପସ୍ଥିତ ରହିବେ । ଭାରତ ଶକ୍ତି ସମରାଭ୍ୟାସରେ ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର, ଡ୍ରୋନ୍, ଟ୍ୟାଙ୍କ, ହେଲିକପ୍ଟର ନିଜର ଶକ୍ତି ପ୍ରଦର୍ଶନ କରିବେ । ତିନି ସେନା ପକ୍ଷରୁ ମିଳିତ ଭାବେ ଏହି ଅଭ୍ୟାସ କରାଯାଉଛି । ପୂର୍ବରୁ ବିଦେଶରୁ ସାମରିକ ଅସ୍ତ୍ରଅସ୍ତ୍ର ଆମଦାନୀ କରାଯାଉଥିବା ବେଳେ ଏବେ ଏହାକୁ ନିଜ ଦେଶରେ ପ୍ରସ୍ତୁତ କରାଯିବାକୁ ଜୋରଦାର ଚେଷ୍ଟା କରାଯାଉଛି । ଆଉ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ଭାରତୀୟ କୌଶଳରେ ପ୍ରସ୍ତୁତ ହୋଇଛି ଓ ସଫଳତା ପାଇଛି, ସେସବୁର ଆଜି ପ୍ରଦର୍ଶନ କରାଯିବ ।