ଧନ୍ୟବାଦ ରାଲିରେ ବିରୋଧୀଙ୍କୁ ଧୁଲେଇ: ମମତାଙ୍କୁ ତାତ୍ସଲ୍ୟ କଲେ, ପ୍ରଶ୍ନ ପଚାରିଲେ । କହିଲେ, ଦିଦି ! ଆପଣ କାହିଁକି ବଦଳିଗଲେ…?

1,254

କନକ ବ୍ୟୁରୋ: ରାମଲୀଳା ମୈଦାନରେ ମୋଦିଙ୍କ ରୌଦ୍ରରୁପ । ଦିଲ୍ଲୀ ଦରବାରରୁ ଦିଦିଙ୍କ ଉପରେ ମନଇଚ୍ଛା ବର୍ଷିଲେ ମୋଦି । ବିଜେପିର ଧନ୍ୟବାଦ ରାଲିରେ ଯୋଗଦେଇ ବିରୋଧୀଙ୍କ ଉପରେ ଧୂମ ରାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଗରିକତା ଆଇନ ଓ ଏନଆରସିକୁ ବିରୋଧ କରି ଦେଶରେ ନିଆଁ ଲଗାଉଥିଲା ଲୋକଙ୍କ ପଛରେ ଯେଉଁ ବିରୋଧୀଙ୍କ ହାତ ଅଛି ସେମାନଙ୍କୁ ସାଙ୍ଘାତିକ ଟାର୍ଗେଟ କରିଛନ୍ତି ମୋଦି ।

ତେବେ ଅଭିଭାଷଣ ବେଳେ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ କଡା ସମାଲୋଚନା କରିଛନ୍ତି । ବଦଳି ଗଲେଣି ଦିଦି… କହି ମୋଦି ଧନ୍ୟବାଦ ସଭାରେ ମମତାଙ୍କୁ କଟାକ୍ଷ କରିଛନ୍ତି । ମୋଦି କହିଛନ୍ତି କି, ଦିଦି ଏବେ ସିଧା କୋଲକାତାରୁ ୟୁଏନରେ ପହଞ୍ଚି ଗଲେଣି । କିନ୍ତୁ କିଛି ବର୍ଷ ତଳେ ସେହି ମମତା ସଂସଦରେ ଛିଡା ହୋଇ ଗୁହାରୀ କରୁଥିଲେ କି ବାଂଲାଦେଶରୁ ପଶି ଆସୁଥିବା ଅନୁପ୍ରବେଶକାରୀଙ୍କୁ ରୋକାଯାଉ । ଆଉ ସେଠାରୁ ଆସୁଥିବା ସରଣାର୍ଥୀଙ୍କୁ ସାହାଯ୍ୟ କରାଯାଉ ବୋଲି ଦାବି କରୁଥିଲେ । ବାଚସ୍ପତିଙ୍କ ଆଗରେ କାଗଜ ଫିଙ୍ଗି ବାଂଲାଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାରମ୍ବାର ଦାବି କରୁଥିଲେ । ହେଲେ ଏବେ ଦିଦିଙ୍କର କଣ ହୋଇଛି…? ବୋଲି ପ୍ରଶ୍ନ କରିଛନ୍ତି ମୋଦି । ଦିଦି କଣ ପାଇଁ ଆପଣ ବଦଳି ଗଲେ ? ଦିଦି କାହିଁକି ଆପଣ ଅପପ୍ରଚାର କରୁଛନ୍ତି? ବୋଲି ମୋଦି ଦିଲ୍ଲୀରୁ ଦିଦିଙ୍କୁ ପ୍ରଶ୍ନ ପଚାରିଛନ୍ତି ।

ଖାସି ସେତିକି ନୁହେଁ ମମତା କାହିଁକି ଡରି ଯାଇଛନ୍ତି ବୋଲି ବି ମୋଦି କଟାକ୍ଷ କରିଛନ୍ତି । ନିର୍ବାଚନ ଆସେ ଯାଏ, କାହାକୁ କ୍ଷମତା ମିଳେ କାହାକୁ ମିଳେନି ହେଲେ ଆପଣ କଣ ପାଇଁ ଏତେ ଡରିଯାଇଛନ୍ତି ଦିଦି… ବୋଲି ତାତ୍ସଲ୍ୟ କଲାଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ତେବେ ନାଗରିକତା ଆଇନ ନେଇ ଆୟୋଜିତ ଧନ୍ୟବାଦ ରାଲିରେ ବିରୋଧୀଙ୍କୁ ଜୋର ଧୂଲେଇ କରିବା ସହ ଦିଲ୍ଲୀ ସରକାର ଓ କଂଗ୍ରେସ ଉପରେ ବି କଡା ଶଦ୍ଦ ପ୍ରୟୋଗ କରିଛନ୍ତି ମୋଦି । ଆଇନ ବିରୋଧରେ କଂଗ୍ରସ ସହ କିଛି ଦଳ ମିଥ୍ୟା ପ୍ରଚାର ଚଳାଇବାରେ ଲାଗି ପଡିଛନ୍ତି । ବିଲକୁ ନେଇ କିଛି ଦଳ ଭ୍ରମରେ ଥିବାରୁ ସେମାନେ ଗୁଜବ ପ୍ରଚାର କରୁଛନ୍ତି ଆଉ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ତେବେ ଯେଉଁମାନେ ମିଛ କହୁଛନ୍ତି, ଯେଉଁ ସହରୀ ନକ୍ସଲମାନେ ଗୁଜବ କରୁଛନ୍ତି ସେମାନଙ୍କ ଚିହ୍ନଟ ଜରୁରୀ । ସେମାନଙ୍କୁ ଦେଶବାସୀ ଜାଣିବା ଜରୁରୀ ବୋଲି ମୋଦି କଂଗ୍ରେସ ସହ ଅନ୍ୟ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ।

ତେବେ ଏ ଆଇନ ଦେଶର ଭବିଷ୍ୟତ ପାଇଁ ହୋଇଛି । ପ୍ରତାରିତ ହିନ୍ଦୁଙ୍କ ପାଇଁ ଏ ଆଇନ ଆସିଛି ବୋଲି ପ୍ରଧାନମନ୍ତ୍ରୀ ରାଲି ଜରିଆରେ ସାରା ଦେଶକୁ ଜଣାଇଛନ୍ତି ।