ରାଜଧାନୀରେ କଙ୍ଗାରୁ କୋର୍ଟ । ଭୁବନେଶ୍ୱରର ନାମକରା ଆପାର୍ଟମେଣ୍ଟ ରେ ଜୁଲୁମ୍, ଅଭିଯୋଗ ଆଣିବାରୁ ପାଣି ଓ ବିଜୁଳିରୁ ବାସନ୍ଦ କରିବାକୁ ଚେତାବନୀ
କନକ ବ୍ୟୁରୋ : ବରିଷ୍ଠ ନାଗରିକଙ୍କୁ ପାଣି, ବିଜୁଳି ବାସନ୍ଦ ଚେତାବନୀ। କେଉଁ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଇଲାକାରେ ନୁହେଁ, ବରଂ ଖୋଦ୍ ରାଜଧାନୀରେ। ଡୁମୁଡୁମା ଅଞ୍ଚଳରେ ଥିବା କସମୋପଲିସ୍ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କଙ୍ଗାରୁ କୋର୍ଟ ଏଭଳି ନିଷ୍ପତ୍ତି ନେଇଛି। ଏଠାରେ ରହୁଥିବା ତିନିଜଣ ବରିଷ୍ଠ ନାଗରିକଙ୍କୁ କସମୋପଲିସ୍ ରେସିଡେଣ୍ଟ୍ସ୍ ୱେଲ୍ଫେୟାର ଆସୋସିଏସନ ନୋଟିସ୍ ଜାରି କରିଛି। ୧୦ଦିନ ଭିତରେ ନୋଟିସର ଉତ୍ତର ନ ମିଳିଲେ ପାଣି, ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବା ସହ ମେଣ୍ଟେନାନ୍ସ କରାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଏଭଳି ନୋଟିସ୍ ପାଇବା ପରେ ବରିଷ୍ଠ ନାଗରିକ ଭୁବନେଶ୍ୱର ସିଭିଲ୍ ଜଜଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଭିଲ୍ ଜଜ୍ ଆବେଦନର ବିଚାର କରି ଏହି ନୋଟିସ୍ ଉପରେ ସ୍ଥଗିତାଦେଶ ଜାରି କରିବା ସହ ସଂଘକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଅନ୍ୟପଟେ ଏ ନେଇ ଖଣ୍ଡଗିରି ଥାନାରେ ଏତଲା ମଧ୍ୟ ଦିଆଯାଇଛି। ମୌଳିକ ଆବଶ୍ୟକତାରୁ ବଞ୍ଚିତ କରିବାକୁ ଧମକ ଦିଆଯାଇଥିବାରୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଫ୍ଲାଟ୍ ନମ୍ବର ଜି-୧୬୧ରେ ରହୁଥିବା ଅରୁଣ ମହାନ୍ତି ଅଭିଯୋଗ କରିଛନ୍ତି, ୨୦୧୫ ମସିହାରୁ ସେମାନେ ଏଠାରେ ସପରିବାର ରହି ଆସୁଛନ୍ତି। ତାଙ୍କ ସହ ୮୯ ବର୍ଷର ମା’ ମଧ୍ୟ ରହୁଛନ୍ତି। ବ୍ୟକ୍ତିଗତ ଭାବରେ ପ୍ରଶ୍ନ ନ କରି ସଂଘ ପକ୍ଷରୁ ଏଭଳି ପାଣି, ବିଜୁଳି ବାସନ୍ଦ ନୋଟିସ୍ ବିଭିନ୍ନ ବ୍ଲକର ନୋଟିସ୍ ବୋର୍ଡରେ ହଠାତ ଝୁଲାଇ ଦିଆଯାଇଥିଲା। ଫଳରେ ୮୯ ବର୍ଷୀୟ ମା’ଙ୍କ ସମେତ ତାଙ୍କ ପତ୍ନୀ ଡ. ଆଭା ମହାନ୍ତି ଓ ସେ ନିଜେ ମାନସିକସ୍ତରରେ ଆଘାତପ୍ରାପ୍ତ ହୋଇଥିଲେ। କ’ଣ ପାଇଁ ନୋଟିସ୍ ଦିଆଯାଉଛି, ବ୍ୟକ୍ତିଗତ ଭାବେ ଆଲୋଚନା କରାଯାଇ ପାରିଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।
କସମୋପଲିସ୍ ରିସିଡେଣ୍ଟ୍ସ୍ ୱେଲ୍ଫେୟାର ଆସୋସିଏସନ ନୋଟିସ୍ ମୁତାବକ, କେତେକ ଏଗଜିକ୍ୟୁଟିଭ୍ ବଡି ମେମ୍ବର ଦୁର୍ନୀତିଗ୍ରସ୍ତ ବୋଲି ଖୋଲାଖୋଲି ଭାବରେ ଅରୁଣ ମହାନ୍ତି ଅଭିଯୋଗ କରିଥିଲେ। ତେଣୁ ତାଙ୍କ ପାଖରେ କ’ଣ ପ୍ରମାଣ ରହିଛି, ତାହା ସଂଘ ଜାଣିବାକୁ ଚାହିଥିଲା। ଗତ ୮ତାରିଖ ଦିନ ଗଭର୍ଣ୍ଣିଂ ବଡି ବୈଠକ ବସି ଏହି ପ୍ରସଙ୍ଗରେ ଅରୁଣ ମହାନ୍ତିଙ୍କ ସମେତ ରାମହରି ପାଢ଼ୀ ଓ ସିଦ୍ଧାର୍ଥ ସାହୁଙ୍କୁ ନୋଟିସ୍ ଜାରି କରିବାକୁ ନିଷ୍ପତ୍ତି ନେଇଥିଲା। ୧୦ ତାରିଖ ଦିନ ନୋଟିସ୍ କରାଯାଇ ୨୦ ତାରିଖ ସୁଦ୍ଧା ଉତ୍ତର ନ ଦେଲେ ପାଣି, ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।