ଜି-୨୦ ସମ୍ମିଳନୀରେ ମୁହାଁମୁହିଁ ହେଲେ ମୋଦୀ-ଜିନପିଙ୍ଗ : ହାତ ମିଳାଇଲେ, ହେଲା ନାହିଁ ଦ୍ୱିପାକ୍ଷିକ ଆଲୋଚନା

156

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ ହାତ ମିଳାଇଛନ୍ତି । ସୀମା ବିବାଦକୁ ନେଇ ଲାଗି ରହିଥିବା ତିକ୍ତତା ଭିତରେ ଦୁଇ ଶକ୍ତି ରାଷ୍ଟ୍ରର ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଦୃଷ୍ଟି ଆକର୍ଷଣ କରିଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ଜି-୨୦ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରରେ ମୋଦୀ ଓ ଜିନପିଙ୍ଗ ହାତ ମିଳାଉଥିବାର ଦୃଶ୍ୟର ସିଧା ପ୍ରସାରଣ କରାଯାଇଥିଲା ।

ଜି-୨୦ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । କିନ୍ତୁ ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ସେଭଳି କୌଣସି ଆଲୋଚନା ହୋଇନାହିଁ । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଦୁଇ ନେତାଙ୍କର ସାକ୍ଷାତ ହୋଇଥିଲା । ଜୁନ୍, ୨୦୨୦ରେ ଗଲୱାନ ଘାଟିରେ ଚୀନ୍ ସହ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ସେବେଠାରୁ ଉଭୟ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ବିକାଶ ପାଇଁ ଏଲଏସିରେ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ କ୍ରମାଗତ ଭାବେ କହି ଆସୁଛି ।