ରାସ୍ତାରେ ବିଛେଇ ହୋଇ ପଡିଥିଲା ହୀରା, ପିଲାଠୁ ବୟସ୍କ ସମସ୍ତେ ଗୋଟାଇବାକୁ ଧାଇଁ ଆସିଲେ  । କାହା ହାତରେ ଡର୍ଜନେ ତ ଆଉ କାହାର ଖାଲି ହାତ ।

2,538

କନକ ବ୍ୟୁରୋ: ରାସ୍ତାରେ ପଡିଥିଲା ହୀରା ଖଣ୍ଡ । ଯେମିତି ଏକଥା କାନରେ ପଡିଲା, ବାଟୋଇ ହୁଅନ୍ତୁ ବା ସ୍ଥାନୀୟ ବ୍ୟବସାୟୀ ସମସ୍ତେ ଧାଇଁ ଆସିଲେ ଏହାକୁ ଗୋଟାଇବାକୁ । ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଗୁଜୁରାଟର ରାଜଧାନୀ ସୁରଟକୁ ଡାଇମଣ୍ଡ ଓ ଟେକ୍ସଟାଇଲ ସିଟି କୁହାଯାଏ । ହୀରାର ନଗରୀ ହେବା କାରଣରୁ ସହରର ମହିଧରପୁରା ଓ ବରାଛା ଇଲାକାରେ ପରିବା ମଣ୍ଡି ପରି ହୀରା ମଣ୍ଡି ମଧ୍ୟ ଲାଗେ । ରାସ୍ତା କଡରେ, ଫୁଟପାଥରେ ହୀରା କିଣାବିକା ଲାଗେ । ବରାଛା ଅଞ୍ଚଳରେ ମିନି ବଜାର ଡାଇମଣ୍ଡ ମାର୍କେଟ କୁହାଯାଉଥିବା ଏହାର ରାସ୍ତାରେ ବିଛେଇ ହୋଇ ପଡିଥିଲା ହୀରାଖଣ୍ଡ । ହଠାତ୍ ମାର୍କେଟରେ ଏହା ବିଷୟରେ ପ୍ରଚାର ହୋଇଗଲା । ବାସ୍ କାମ ଛାଡି ସମସ୍ତେ ଦୌଡିଲେ ସେହି ରାସ୍ତାକୁ ହୀରା ଗୋଟାଇବାକୁ  ।

 କି ପିଲା କି ବୟସ୍କ, ମହିଳା ସମସ୍ତେ ହୀରା ଗୋଟାଇବାରେ ବ୍ୟସ୍ତ ହୋଇଗଲେ । କିଛି ଲୋକ ଏହି ମସୟର ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ । କାହାରି ହାତରେ ଡର୍ଜନେ ହୀରା ପଡିଲା ତ ଆଉ କାହା ହାତ ଖାଲି । ଅନେକ ସମୟ ଯାଏଁ ସେହି ରାସ୍ତାରେ ଏପରି ଦୃଶ୍ୟ ଜାରି ରହିଥିବା ଦେଖିବାକୁ ମିଳିଥିଲା ।

 ହେଲେ ଏତେ ସମୟ ପରିଶ୍ରମ କରିବା ପରେ ଯାହା ଜଣାପଡିଲା ସେଥିରେ ହୀରା ଗୋଟାଉଥିବା ଲୋକଙ୍କ ହୋସ୍ ଉଡିଯାଇଥିଲା ।  ସଂଗ୍ରହ କରିଥିବା ହୀରାକୁ ଲୋକେ ନେଇ ଯାଞ୍ଚ କରିବାରୁ ଜଣାପଡିଲା ଯେ, ସେସବୁ ନା ଖଣିରୁ ମିଳିଥିବା ହୀରା ନା ଲ୍ୟାବରେ  ପ୍ରସ୍ତୁତ ହୋଇଥିବା ହୀରା । ସେସବୁ ଆମେରିକାନ୍ ହୀରା, ଯାହାର ମୂଲ୍ୟ କିଛି ଖାସ୍ ନୁହେଁ ।