ପାଟଣାଗଡ଼ରୁ ପାର୍ଲାମେଣ୍ଟ । ରାଜ୍ୟସଭା ସାଂସଦ ହେବେ ଆଦିବାସୀ ନେତା ନିରଞ୍ଜନ ବିଶି । ପଢନ୍ତୁ ତାଙ୍କ ଜୀବନଯାତ୍ରା …

855

କନକ ବ୍ୟୁରୋ: ପାଟଣାଗଡ଼ରୁ ପାର୍ଲାମେଣ୍ଟ । ରାଜ୍ୟସଭା ସାଂସଦ ହେବେ ଆଦିବାସୀ ନେତା ନିରଞ୍ଜନ ବିଶି । ଏ ଖବର ଜଣାପଡିବା ପରେ ସାରା ଜିଲ୍ଲାବାସୀଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଆଦିବାସୀ ଚେହେରା ଭାବେ ଲୋକଙ୍କ ଭିତରେ ନିଜର ପରିଚୟ ସୃଷ୍ଟି କରିଥିବା ନିରଞ୍ଜନଙ୍କ ପାଇଁ ପୂରା ସରପ୍ରାଇଜ ଥିଲା ଏହି ନୂଆ ଦାୟିତ୍ୱ । ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ ସମସ୍ତଙ୍କୁ ପୁଣି ଚକିୁତ କରିଛି ।

ସମସ୍ତେ ଜାଣିଛନ୍ତି ବଲାଙ୍ଗୀର ଜିଲ୍ଲାର ରାଜନୀତି, ରାଜ୍ୟ ରାଜନୀତିରେ ବେଶ ଦବଦବା ରଖିଥାଏ । ଏଠି ରାଜପରିବାର ଓ ନରସିଂହ ମିଶ୍ର ପରିବାର ସବୁବେଳେ ଲଢେଇରେ ଥାନ୍ତି । କିନ୍ତୁ ଆଜି ବିଜେଡି ରାଜ୍ୟସଭା ପାଇଁ ବଲାଙ୍ଗିର ଜିଲ୍ଲାରୁ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରିବା ପରେ ଜନତା ସହ ନେତାଙ୍କୁ ଆଚମ୍ବିତ କରିଛି । କାରଣ ଏୟାଥିଲା ଯେ, ନିରଞ୍ଜନ ବିଶି ସଦରମହକୁମାଠାରୁ ଦୂରରେ ଥିବା ପାଟଣାଗଡ ସବିଡ଼ିଭିଜନ ଲାରମ୍ଭା ପଂଚାୟତ କୁତୁର୍ଲା ଗାଁର ନିବାସୀ । ସେ ଅତିଗରିବ ପରିବାରର ଆସୁଥିଲେ ବି ଆଜି ରାଜ୍ୟସଭାକୁ ଯିବା ପାଇଁ ପାର୍ଥୀ ହୋଇଛନ୍ତି । ପାଟଣାଗଡ ଜବାହରଲାଲ କଲେଜରୁ ଗ୍ରାଜୁଏସନ ପରେ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ପିଜି ପାଠ ପଢିଥିଲେ ନିରଞ୍ଜନ ବିଶି । ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି ।

ତେବେ ପରିବାର ପ୍ରତି ପୋଷଣ ପାଇଁ ସେ ବିଦ୍ୟୁତ ବିଭାଗରେ ଚାକିରୀ କରିଥିଲେ ।  ପରିବାରରେ ତାଙ୍କ ସ୍ତ୍ରୀ ନୀଳାଞ୍ଜି ବିଶି ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ପାଟଣାଗଡରେ ଏକ ଭଡାଘରେ ସେ ପରିବାର ସହ ରହୁଛନ୍ତି । ଏହିଠାରୁ ହିଁ ସେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରିଛନ୍ତି ।

ନିରଞ୍ଜନଙ୍କ ରାଜ୍ୟସଭା ପ୍ରାର୍ଥିତ୍ୱ ପରେ ଜିଲ୍ଲାରେ ବର୍ତ୍ତମାନ ଆଦିବାସୀମାନଙ୍କ ଭିତରେ ବେଶ ଉତ୍ସାହ ରହିଛି । ସେପଟେ ଚର୍ଚ୍ଚା ହେଉଛି ରାଜପରିବାରରୁ କଳିକେଶ ନାରାୟଣ ସିଂହଦେଓଙ୍କୁ ଟିକେଟ ମିଳିବାର ଥିଲା ତେବେ ତାଙ୍କୁ ବାଦ୍ ଦିଆଯାଇ ନିରଞ୍ଜନଙ୍କୁ ଟିକେଟ ମିଳିବା ବିଜେଡିର ପଶ୍ଚିମ ଓଡିଶାର ଜଣେ ନେତାଙ୍କ ଗୋଟି ଚାଳନା । ଚର୍ଚ୍ଚା ଏୟା ମଧ୍ୟ ଆରମ୍ଭ ହୋଇଗଲାଣି ଯେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପୁଣିଥିରେ କଳିକେଶଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ସଯୋଗ  ମିଳିପାରେ ।

ସେପଟେ ପାଟଣାଗଡର ରାଜନୈତିକ ସମୀକରଣ ବଦଳିଥିଲା । ପାଟଣାଗଡରେ କନକ ବର୍ଦ୍ଧନ ସିଂହଦେଓଙ୍କୁ ମାତ ଦେଇ ସରୋଜ ଗଡ ଦଖଲ କିଥିଲେ । ତେବେ ସରୋଜ ମେହେରଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ଅବହେଳା ଚର୍ଚ୍ଚା ଆଉ ଅଭିଯୋଗ ପରେ ନିରଞ୍ଜନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ଆଦିବାସୀମାନଙ୍କ ଭୋଟବ୍ୟାଙ୍କ ବିଜେଡି ପାଖରେ ରଖିବାରେ ସମର୍ଥ ହୋଇଛି । ରାଜପରିବାରର ସମର୍ଥନରେ ନିରଞ୍ଜନ ଟିକଟ ପାଇଥିବା ନେଇ ସାଧାରଣରେ ଚର୍ଚ୍ଚା ବୃଦ୍ଧି ପାଇବା ବେଳେ ସରୋଜ ମେହରଙ୍କ ଚିନ୍ତା ବଢିଥିବା କୁହାଯାଉଛି ।