ମଣିପୁର ହିଂସା ତାତିରେ ହୁଲୁସ୍ତୁଲ ସଂସଦ । ୭ଦିନରେ ମଧ୍ୟ ଚାଲିପାରିଲାନି ମୌସୁମୀ ଅଧିବେଶନ, ଜୁଲାଇ ୩୧ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

104

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗକୁ ନେଇ ଅଚଳ ହୋଇପଡିଛି ସଂସଦର ମୌସୁମୀ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭାରେ ୭ଦିନ ହେବ ହଟ୍ଟଗୋଳ ଜାରି ରହିଛି । ଶୁକ୍ରବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟସଭା ସଭାପତି ଜଗଦୀଶ ଧନଖଡ ଓ ଟିଏମସି ସାଂସଦ ଡେରେକ ଓବ୍ରଏନଙ୍କ ମଧ୍ୟରେ ତର୍କ ହେବା ପରେ ଗୃହକାର୍ଯ୍ୟକୁ ଜୁଲାଇ ୩୧ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ସେପଟେ ଲୋକସଭାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଦାବି କରି ହଟଗୋଳ କରିବା ଯୋଗୁଁ ଚାଲିପାରିନି ଗୃହକାର୍ଯ୍ୟ । ଜୁଲାଇ ୩୧ ପର୍ଯ୍ୟନ୍ତ ଲୋକସଭାକୁ ମଧ୍ୟ ମୁଲତବୀ ରଖାଯାଇଛି । ସଂସଦ ଭିତରେ ଅଚଳାବସ୍ଥା ଜାରି ରହିଥିବାବେଳେ ବାହାରେ ମଧ୍ୟ ବିରୋଧୀ ଦଳ ପ୍ରତିବାଦ କରୁଛନ୍ତି । ନିଲମ୍ବିତ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ ପ୍ଲାକାର୍ଡ ଧରି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି ।