ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ : ୨ଦିନିଆ ରାଷ୍ଟ୍ରୀୟ ଶୋକ; ଆସନ୍ତାକାଲି ଜନ୍ମମାଟିରେ ହେବ ଶେଷକୃତ୍ୟ

502

କନକ ବ୍ୟୁରୋ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଆସନ୍ତାକାଲି ହେବ ଶେଷକୃତ୍ୟ । ପୈତୃକ ଗାଁରେ ପ୍ରକାଶ ସିଂ ବାଦଲଙ୍କ ଅନ୍ତିମ ସଂସ୍କାର ହେବ । ଆଜି ମୋହାଲିରୁ ଭଟିଣ୍ଡା ପର୍ଯ୍ୟନ୍ତ ଅନ୍ତିମ ଶୋଭାଯାତ୍ରା ହେବ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ୧୯୨୭ରେ ସେ ଜନ୍ମଗ୍ରହଣ କରିଥିଲେ ।

ଅସୁସ୍ଥତା କାରଣରୁ ପ୍ରକାଶ ସିଂ ବାଦଲଙ୍କୁ ସପ୍ତାହେ ତଳେ ପଞ୍ଜାବ ମୋହାଲିର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଗତବର୍ଷ ଜୁନରେ ବି ହସପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ଜାନୁଆରୀରେ ସେ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।

ପ୍ରକାଶ ସିଂ ବାଦଲ : ସରପଞ୍ଚରୁ ମୁଖ୍ୟମନ୍ତ୍ରୀ

– ପ୍ରକାଶ ସିଂ ବାଦଲ ୫ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ
– ୧୯୪୭ରେ ରାଜନୀତିରେ ପାଦ ଥାପିଥିଲେ ପ୍ରକାଶ ସିଂ ବାଦଲ
– ସବୁଠୁ କମ୍ ବୟସରେ ପ୍ରକାଶ ସିଂ ବାଦଲ ସରପଂଚ ହୋଇଥିଲେ
– ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିଥିଲେ
– ୧୯୬୯ରେ ସେ ପୁଣି ବିଜୟ ହାସଲ କରିଥିଲେ
– ୧୯୭୦-୭୧, ୧୯୭୭-୮୦, ୧୯୯୭-୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ
– ଗତବର୍ଷ ବିଧାନସଭା ନିର୍ବାଚନ ଲଢି ହାରିଯାଇଥିଲେ
– ୧୯୭୨, ୧୯୮୦ ଓ ୨୦୦୨ରେ ସେ ବିରୋଧୀ ଦଳ ନେତା ହୋଇଥିଲେ
– କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ ପ୍ରକାଶ ସିଂହ ବାଦଲ