ଜୁନ ୧ରୁ ସବୁ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ପାନିକ୍ ବଟନ ବାଧ୍ୟତାମୂଳକ । ଖିଲାପ କଲେ ମିଳବନି ଫିଟନେସ୍ ସାର୍ଟିଫିକେଟ୍

401

କନକ ବ୍ୟୁରୋ: ଏଣିକି ସବୁ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ଲାଗିବ ପାନିକ୍ ବଟନ୍ । ଜୁନ୍ ୧ ସୁଦ୍ଧା ସବୁ ଗାଡିରେ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ ହେବ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ । ଉକ୍ତ ଗାଡିର ଡକ୍ୟୁମେଂଟ୍ ନବୀକରଣ ହେବନି କି ଫିଟନେସ୍ ସାର୍ଟିଫିକେଟ୍ ମିଳିବନି । ଗାଡିର ଡ୍ରାଇଭର ସିଟ୍ ଥିବା ଡୋରରେ ଲାଗିବ ପାନିକ୍ ବଟନ୍ । କୌଣସି ଅସୁବିଧା ହେଲେ ଯାତ୍ରୀ ଉକ୍ତ ବଟନ୍ ଦବାଇଲେ ସାଇରନ ବାଜିବ । ଯାହା ପୁଲିସ କମାଣ୍ଡ କଂଟ୍ରୋଲ ସେଂଟରେ ଥିବା କମ୍ପ୍ୟୁଟରରେ ଦେଖାଇବ । ଫଳରେ ପୁଲିସ ଗାଡିକୁ ଟ୍ରାକ କରି ଘଟଣା ସ୍ଥଳରେ ତୁରନ୍ତ ପହଂଚିପାରିବ ।

ଯାତ୍ରୀବାହୀ ଗାଡିରେ ଅସଦାଚରଣ, ଚୋରି, ଅପହରଣ ଭଳି ଘଟଣା ଦେଖିବାକୁ ମଳୁଥିବାରୁ ଏହି ନିୟମ କଡାକଡି କରିଛି ରାଜ୍ୟ ପରିବହନ ବିଭାଗ । ଏନେଇ ପରିବହନ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏଥିସହ ଗାଡି ଚୋରି ରୋକିବା, ଗାଡିକୁ ଟ୍ରାକ୍ କରିବା, ଗାଡିର ବେଗ ରେକର୍ଡ ସଂଗ୍ରହ କରିବା ପାଇଁ ସବୁ ଗାଡିରେ ଲୋକେସନ ଟ୍ରାକିଂ ଡିଭାଇସ୍ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡିରେ ପାନିକ୍ ବଟନ୍ ଓ ଲୋକେସନ ଟ୍ରାକିଂ ଡିଭାଇସ୍ ନଥିବ ସେହି ଗାଡିର ପଞ୍ଜୀକରଣ କରାଯିବ ନାହିଁ । କେବଳ ନୂଆ ଗାଡି ନୁହେଁ ପୁରଣା ଗାଡିରେ ମଧ୍ୟ ଏହା ଲଗାଇବା ବାଧ୍ୟତାମୂଳତ କରାଯାଇଛି । ତେବେ ଯେଉଁ ଗାଡିଗୁଡିକ ଆସନ୍ତା ମେ ୩୧ ତାରିଖ ସୁସ୍ଥ ପଞ୍ଜୀକୃତ ସେଥିରେ ଅଗଷ୍ଟ ୩୧ ସୁଦ୍ଧା ଏହି ଦୁଇଟି ଯନ୍ତ୍ରାଂଶ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ବସ, ଟ୍ରକ, ବ୍ୟବସାୟିକ କାର, ଟ୍ରଲି, ସ୍କୁଲ ବସ୍ ସବୁ ଗାଡିରେ ଏଭଳି ବ୍ୟବସ୍ଥା କରାଯିବ ।