କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବାଉଳା ପାକିସ୍ତାନ : ଭାରତ ସହ ସମ୍ପର୍କ ଛିନ୍ନ ପରେ ୩ଟି ଏୟାରସ୍ପେଶ୍ ବନ୍ଦ କଲା ଇସଲାମାବାଦ୍

908

କନକ ବ୍ୟୁରୋ : କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ । ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପରେ ଆକାଶପଥ ବି ବନ୍ଦ କରିଛି ପାକିସ୍ତାନ । ଭାରତ ପାକିସ୍ତାନ ମଧ୍ୟରେ ରହିଥିବା ୯ ଟି ଆକାଶ ପଥ ମଧ୍ୟରୁ ୩ଟି ବନ୍ଦ କରିଦେଇଛି ପାକିସ୍ତାନ । ପାକିସ୍ତାନ ବିଦେଶୀ ବିମାନ ଗୁଡ଼ିକର ଉଡାଣର ଉଚ୍ଚତା ବଢ଼ାଇ ଦେଇଛି । ଏଥି ସହିତ ବିମାନ ପଥ ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରିଛି ।

ବୁଧବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦର ବୈଠକ ପରେ ପାକ୍ ନେଇଥିବା ଭାରତ ସହିତ ବାଣିଜ୍ୟିକ ସଂପର୍କ ଛିନ୍ନ ନିଷ୍ପତି  । ଏହି ଘୋଷଣା ପରେ ଭାରତ ସହ ଥିବା କୂଟନୀତିକ ସମ୍ପର୍କର ସ୍ତରକୁ କମାଇଛି ପାକିସ୍ତାନ । ଫଳରେ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନର ଭାରତ ଫେରିଆସିବେ । ଅନ୍ୟପଟେ ଦିଲ୍ଲୀକୁ ଆସିବାକୁ ଥିବା ପାକିସ୍ତାନର ନୂଆ ହାଇକମିଶନର ବର୍ତମାନ ପାଇଁ ଆସିବେ ନାହିଁ । ଫଳରେ ଦୁଇଦେଶ ମଧ୍ୟରେ କୂଟନୈତିକ ସଂପର୍କ ଏକ ପ୍ରକାର ସ୍ଥାଣୁ ହୋଇଯିବ ।

ଇମ୍ରାନ କହିଛନ୍ତି, ମିଳିତ ଜାତିସଂଘରେ ଭାରତର ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ଚ୍ୟାଲେଂଜ କରିବ ପାକିସ୍ତାନ । ଆସନ୍ତା ୧୪ ତାରିଖରେ କାଶ୍ମୀରରେ କିପରି ସ୍ୱାଧୀନତା ଦିବସ ପାଳନ ହେବ ସେ ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଇମ୍ରାନ । ଅନ୍ୟପଟେ ଭାରତର ସ୍ୱାଧୀନତା ଦିବସ ଅଗଷ୍ଟ ୧୫ କୁ କଳାଦିବସ ଭାବେ ପାକିସ୍ତାନ ପାଳନ କରିବ ବୋଲି ନିଷ୍ପତି ନେଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ଏଭଳି ନିଷ୍ପତିର ଭାରତ ଉପରେ କୌଣସି ପ୍ରଭାବ ପଡିବ ନାହିଁ, ବରଂ ପାକିସ୍ତାନର ବ୍ୟାପକ କ୍ଷତି ହେବ ବୋଲି ବିଶେଷଜ୍ଞ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ନୀରବତାର ବାତାବରଣ । ଏବେ ବି ୧୪୪ଧାରା ଜାରି ରହିଛି । ଲୋକେ ଏକାଠି ହେବା ସମ୍ଭବ ହେଉନଥିବା ବେଳେ ଚାରିଆଡେ ସୁରକ୍ଷାକର୍ମୀ ପହରା ଦେଉଛନ୍ତି । ଜାମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ଶ୍ରୀନଗର ଓ ଜାମ୍ମୁ ଛାଡୁଛନ୍ତି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ ଦେଖିବାକୁ ମିଳିଛି । ଶ୍ରୀନଗର ଓ ଜାମ୍ମୁ ରେ ରହୁଥିବା ବାହାର ରାଜ୍ୟର ଲୋକେ ଅସୁବିଧାରେ ଅଛନ୍ତି । ଯେକୌଣସି ପ୍ରକାରେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ଚାହିୁଁଛନ୍ତି । ଏଥିପାଇଁ ପ୍ରଶାସନ ସେମାନଙ୍କୁ ସହାୟତା କରୁନଥିବା ଅଭିଯୋଗ ହୋଇଛି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ ଯୋଗୁଁ ଟିକେଟ ମିଳୁନାହିଁ । ଆଉ ଯେଉଁଠି ଟିକେଟ ମିଳୁଛି ଦର ଆକାଶଛୁଆଁ ହୋଇଛି ।