ପିଓକେରେ ୫୦୦-୭୦୦ ଆତଙ୍କବାଦୀଙ୍କୁ ଟ୍ରେନିଂ! କାଶ୍ମୀର ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ। 

122

କନକ ବ୍ୟୁରୋ : ଭାରତ ଏବଂ ପାକିସ୍ତାନ ସୀମାର ଜମ୍ମୁ ଓ କାଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖାରେ ଗୋଟିଏ ବର୍ଷଧରି ଶାନ୍ତ ପରିସ୍ଥିତି ରହିଥିଲା। ତେବେ ଏହାରି ଭିତରେ ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ଚିନ୍ତା ବଢାଇଦେଇଛି । ଭାରତ ବିରୋଧରେ ପାକିସ୍ତାନ ବଡ ଷଡଯନ୍ତ୍ର ରଚୁଥିବା ଜଣାପଡିଛି । ସବୁବେଳେ ପାକିସ୍ତାନ ପ୍ଲାନ୍ ବି ପ୍ରସ୍ତୁତ ରଖୁଥିବା ବେଳେ କାଶ୍ମୀରର ପରିସ୍ଥିତି ବିଗାଡିବା ପାଇଁ ବାରମ୍ବାର ଉଦ୍ୟମ ହେଉଛି। ପାକିସ୍ତାନରେ ବସିଥିବା ଆତଙ୍କବାଦୀ ସଂଗଠନ ଯୁବକଙ୍କୁ ଟ୍ରେନିଂ ପରେ କାଶ୍ମୀର ଦେଇ ଭାରତକୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛନ୍ତି। ଏମାନେ ଦେଶରେ ଅଶାନ୍ତି ସୃଷ୍ଟି ପାଇଁ କାମ କରିବା ନେଇ ସୂଚନା ମିଳିଛି ।

ସୈନ୍ୟସୁତ୍ରରୁ ଜଣାପଡିଛି ନିୟନ୍ତ୍ରଣ ରେଖା ଉପରେ ଶାନ୍ତି ରହିଛି । ତେବେ ପାକିସ୍ତାନର ମାନସହରା ଏବଂ ମୁଜଫରାବାଦ ସ୍ଥିତ ଆତଙ୍କବାଦୀ କ୍ୟାମ୍ପରେ ୫ ଶହରୁ ୭ ଶହ ଯୁବକଙ୍କୁ ଟ୍ରେନିଂ ଦିଆଯାଉଛି । ସୁତ୍ରରୁ ଜଣାପଡିଛି, ଜମ୍ମୁକାଶ୍ମୀର ଦେଇ ଭାରତରେ ଉଦ୍ୟମ ହେଉଛି । ଏମାନେ ଦେଶର ଅଶାନ୍ତି ପାଇଁ କାମ କରିବେ । ସୀମାରେ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଂଗଠନ ଦ୍ୱାରା ୧୧ଟି ଟ୍ରେନିଂ କ୍ୟାମ୍ପ ଚଳାଉଛନ୍ତି ।

ସେହିଭଳି ପାକିସ୍ତାନ ଅଧିକୃତ କାଶ୍ମୀରରେ ଲଞ୍ଚିଙ୍ଗ ପ୍ୟାଡର ଆଖପାଖରେ ୧୫୦ରୁ ଅଧିକ ଅନୁପ୍ରବେଶକାରୀ ପ୍ରସ୍ତୁତ ରହିଛନ୍ତି । ସେମାନଙ୍କୁ ଭାରତରେ ଉଦ୍ୟମ ପାଇଁ ଏଠାକୁ ଅଣାଯାଇଛି। ତେବେ ପାକିସ୍ତାନ ପଟରୁ ୨୦୨୧ ଫେବ୍ରୁଆରୀ ପରଠାରୁ ସିଜଫାୟାର ଉଲ୍ଲଂଘନରେ କମିଆସିଛି ତେବେବି ସୀମାରେ ପୂର୍ବଭଳି ସୈନ୍ୟ ମହଜୁଦ ରହିଛନ୍ତି । ବିଭିନ୍ନ ସୁରକ୍ଷା ଏଜେନ୍ସିର ସୂଚନା ଅନୁସାରେ ଗତ ମାସରେ କୁଫବାଡା ସ୍ଥିତ ଜାମଗୁଣ୍ଡା ଅଞ୍ଚଳରେ ସୁରକ୍ଷାବାହିନୀ ଲସ୍କର-ଏ-ତୋଏବାର ତିନି ଆତଙ୍କବାଦୀଙ୍କୁ ମାରିଥିଲା ।

ସେହିଭଳି ଜୁନ ମାସରେ ଘାଟିରେ ୫୮ଟି ଏନକାଉଣ୍ଟର ହୋଇସାରିଛି । ଏଥିରେ ପାକିସ୍ତାନୀ ଆତଙ୍କବାଦୀ ସହିତ ୯୨ ଅନ୍ୟ ଆତଙ୍କବାଦୀଙ୍କୁ ହତ୍ୟାକରିଛି ସେନା । ସେହିଭଳି ୮୦ ସ୍ଥାନୀୟ ଆତଙ୍କବାଦୀ ବିଭିନ୍ନ ଆତଙ୍କବାଦୀ କ୍ୟାମ୍ପରେ ସାମିଲ ରହିଥିଲେ । ଏହା ଛଡା ଜାମ୍ମୁ-କାଶ୍ମୀର ପୋଲିସ ୪୪ ସକ୍ରିୟ ଆତଙ୍କବାଦୀ ଏବଂ ୨ ଶହରୁ ଅଧିକ ଜଣଙ୍କୁ ଗିରଫ କରିଛି । ଗତ ବର୍ଷ ୮୭ଟି ଏନକାଉଣ୍ଟର କରାଯାଇଥିବା ବେଳେ ସୁରକ୍ଷାକର୍ମୀ ୧୬୮ ଆତଙ୍କବାଦୀଙ୍କୁ ମାରିଛନ୍ତି । ଏମାନଙ୍କ ମଧ୍ୟରେ ୧୯ ବିଦେଶୀ ଥିବା ଜଣାପଡିଛି ।