ଇମ୍ରାନ ଖାନଙ୍କୁ ଗୁଳିମାଡ । ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । କଣ୍ଟେନର ପାଖକୁ ଆସି ଆତତାୟୀଙ୍କ ଗୁଳିମାଡ

206

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ ହୋଇଛି । ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଇମ୍ରାନ । ଆଜି ପାକିସ୍ତାନରେ ସରକାର ବିରୋଧୀ ପ୍ରଦର୍ଶନ ବେଳେ  ଆତତାୟୀ ତାଙ୍କ ପାଖକୁ ଆସି ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ଇମ୍ରାନଙ୍କ ଗୋଡରେ ଗୁଳି ବାଜିଛି । ତେବେ ଆତତାୟୀଙ୍କୁ କାବୁ କରିଛି ପୁଲିସ । ଇମ୍ରାନ ଖାନଙ୍କୁ ତୁରନ୍ତ ଲାହୋର ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ପାଇଁ ୪ ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଛି । ଗୁଳିମାଡରେ ଜଣେ ପ୍ରାଣ ହରାଇଥିବାବେଳେ ଇମ୍ରାନଙ୍କ କିଛି ସମର୍ଥକ ଆହତ ହୋଇଥିବା ସୂଚନା ମିଳିଛି ।

  • ଇମ୍ରାନ ଖାନଙ୍କୁ ଗୁଳିମାଡ
  • ଅଳ୍ପକେ ବର୍ତ୍ତିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ପାକିସ୍ତାନର ୱାଜିରାବାଦର ଜାଫର ଅଲ୍ଲୀ ଖାଁ ଚୌକରେ ଇମ୍ରାନ ଖାନଙ୍କ ସମର୍ଥକ ଆଜାଦୀ ମାର୍ଚ୍ଚରେ ଯିବା ବେଳେ ଏହି ଆକ୍ରମଣ ହୋଇଛି । ବର୍ତ୍ତମାନର ସରକାର ବିରୋଧରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ, ପିଟିଆଇ ଲଗାତାର ବିରୋଧ ପ୍ରଦର୍ଶନ କରିଆସୁଛି । ଏହି କ୍ରମରେ ଆଜାଦୀ ମାର୍ଚ୍ଚ ବାହାରିଥିଲା । ନିଜ ସମର୍ଥକଙ୍କ ସହ ଇମ୍ରାନ ଖାନ ରାଲିରେ ଯାଉଥିଲେ  । ଏହି ସମୟରେ ଇମ୍ରାନ ଖାନଙ୍କ ଉପରେ ଅତର୍କିତ ଗୁଳିମାଡ ହୋଇଛି । କୁହାଯାଉଛି, ଇମ୍ରାନଙ୍କ ଗୋଡରେ ଗୁଳିବାଜିଛି ଓ ତାଙ୍କୁ ସାଙ୍ଗେ ସାଙ୍ଗେ ହସପିଟାଲ ନିଆଯାଇଛି । ଆକ୍ରମଣକାରୀଙ୍କୁ ବି ଗିରଫ କରାଯାଇଛି । ଗୁଳିମାଡରେ ଅନେକ ଆହତ ହୋଇଛନ୍ତି ।

  • କଣ୍ଟେନର ପାଖକୁ ଆସି ଆତତାୟୀଙ୍କ ଗୁଳିମାଡ
  • ଆତତାୟୀଙ୍କୁ କାବୁ କଲେ ପୁଲିସ

ଅଜଣା ଆତତାୟୀ କଣ୍ଟେନର ପାଖକୁ ଆସି ଇମ୍ରାନ ଖାନଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଏହାର ଜବାବରେ ଇମ୍ରାନଙ୍କ ସୁରକ୍ଷା କର୍ମୀ କଣ୍ଟେନର ପାଖକୁ ଆସି ତାଙ୍କୁ ବଞ୍ଚାଇଥିଲେ ଓ ଆତତାୟୀଙ୍କୁ କାବୁ କରିଥିଲେ । ଏହା ମଧ୍ୟ କୁହାଯାଉଛି ଯେ, କଣ୍ଟେନର ଉପରେ ଇମ୍ରାନଙ୍କ କିଛି ସମର୍ଥକ ଥିଲେ ଆଉ ସେମାନଙ୍କୁ ଗୁଳି ବାଜିଛି । ପଞ୍ଜାବ ପ୍ରଦେଶର ଗଭର୍ଣ୍ଣର ଓ ଇମ୍ରାନ ଖାନଙ୍କ ଜଣେ ସହଯୋଗୀଙ୍କୁ ବି ଗୁଳି ବାଜିଛି ।

ପାକିସ୍ତାନର କିଛି ଗଣମାଧ୍ୟମ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ପାକିସ୍ତାନର ତେହେରିକ-ଏ-ଇନସାଫ ପାର୍ଟି କହିଛି, ଇମ୍ରାନଙ୍କ ଉପରେ ନୁହେଁ ବରଂ ପାକିସ୍ତାନ ଉପରେ ଆକ୍ରମଣ ହୋଇଛି ।  ଗୁଳିମାଡ ପରେ  ଇମ୍ରାନ ଖାନଙ୍କ ଗୋଡରେ ପଟ୍ଟି ବନ୍ଧାଯାଇଥିବା ଦେଖାଯାଇଥିଲା । ଇମ୍ରାନ ଖାନ ୨୦୧୮ ମସିହାରୁ ଚଳିତବର୍ଷ  ଏପ୍ରିଲ ଯାଏଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଅଣାଯାଇ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଏହା ପରେ ପାକିସ୍ତାନ ମୁସଲିମ ଲିଗ ( ନୱାଜ) ଗୋଷ୍ଠୀର ଶେହନାଜ ସରିଫ ପ୍ରଧାନମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ସରକାର ବିରୋଧରେ ଇମ୍ରାନ ଆନ୍ଦୋଳନ ଜାରି ରଖିଛନ୍ତି । ଇମ୍ରାନ ଖାନଙ୍କ  ଉପରେ ଏହି ଆକ୍ରମଣ ପରେ ପାକିସ୍ତାନରେ ରାଜନୈତିକ ସରଗରମ ଓ ହିଂସା ବଢିବା ଆଶଙ୍କା କରାଯାଉଛି ।