ପାକିସ୍ତାନ ଟିମକୁ ଏଯାଏଁ ମିଳିନି ଭାରତ ଭିସା, ବିଶ୍ୱକପ୍ ପୂର୍ବରୁ ଫସର ଫାଟିଲା ପାକିସ୍ତାନର ବଡ ପ୍ଲାନ ।

1,071

କନକ ବ୍ୟୁରୋ : ବିଶ୍ୱକପକୁ ଆଉ ଦିନ କେଇଟା ବାକି ଥିବା ବେଳେ ପାକିସ୍ତାନ ଟିମକୁ ଏଯାଏଁ ମିଳିନି ଭିସା । ଅନ୍ୟ ଟିମକୁ ଭାରତ ଆସିବାକୁ ଭିସା ମିଳି ସାରିଥିବା ପାକିସ୍ତାନ ଟିମକୁ ଭିସା ନ ମିଳିନାହିଁ । ଯେଉଁଥିପାଇଁ ପାକିସ୍ତାନ ଟିମର ଦୁବାଇରେ ଖେଳାଳୀଙ୍କ କ୍ୟାମ୍ପ କରିବା ପ୍ଲାନ ଫସର ଫାଟିଛି । ଭିସା ବିଳମ୍ବିତ ହେବା କାରଣରୁ ପାକିସ୍ତାନ ଟିମ୍ ଆସନ୍ତା ୨୭ ତାରିଖରେ ଦୁବାଇ ଗସ୍ତ କରିବ । ସେଠାରୁ ୨୯ ତାରିଖରେ ଖେଳିବାକୁ ଥିବା ଅଭ୍ୟାସ ମ୍ୟାଚ୍ ପାଇଁ ହାଇଦ୍ରାବାଦକୁ ଆସିବ । ପାକିସ୍ତାନ ଟିମ୍ ଗତ ସପ୍ତାହରେ ଭାରତ ଆସିବାକୁ ଭିସା ପାଇଁ ଆବେଦନ କରିଥିଲା । ଯାହାକୁ ଏଯାଏଁ ମଞ୍ଜୁରୀ ମିଳିନି । ତେବେ ଦୁବାଇ ଉଡାଣ ଭରିବା ପୂର୍ବରୁ ପାକିସ୍ତାନକୁ ଟିମକୁ ଭିସା ମିଳିବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଗତ ୧୦ ବର୍ଷ ମଧ୍ୟରେ ପାକିସ୍ତାନ କେବଳ ଥରେ ୨୦୧୬ରେ ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଗସ୍ତରେ ଆସିଥିଲା । ଏହାପରେ ବିଭିନ୍ନ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ପରସ୍ପରକୁ ଭେଟିଛନ୍ତି । ୨୦୧୨-୧୩ରେ ଶେଷଥର ପାଇଁ ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଭାରତ ଆସିଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ । ପାକିସ୍ତାନ ଆଗାମୀ ବିଶ୍ୱକପ ପାଇଁ ନିଜର ଦଳ ଘୋଷଣା କରିଛି । ବାବର ଆଜମଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଳାଇବ ପାକିସ୍ତାନ ଟିମ୍ । ସେହିଭଳି ଆହତ କାରଣରୁ ନସିମ ଶାହାଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ହାସନ ଅଲ୍ଲୀ ଦୀର୍ଘ ଦିନ ପରେ ପୁଣିଥରେ ଦଳକୁ ଫେରିଛନ୍ତି । ୬ ଅକ୍ଟୋବରରେ ନେଦରଲାଣ୍ଡସ ବିପକ୍ଷରେ ଖେଳି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ପାକିସ୍ତାନ ।