ବର୍ଷା ବଢାଇଲା ଦୁର୍ଦ୍ଦଶା । ଦକ୍ଷିଣରୁ ପଶ୍ଚିମ, ଆଭ୍ୟନ୍ତରିଣରୁ ଉପକୂଳ ଓଡିଶା ସବୁଆଡେ ପାଣିରେ ଭାସୁଛି ପାଚିଲା ଧାନ

98

କନକ ବ୍ୟୁରୋ : ମୁଣ୍ଡରେ ହାତ ଦେଲେଣି ଚାଷୀ । ବର୍ଷା ପାଣିରେ ଶୋଇ ପଡିଛି ପାଚିଲା ଧାନ । ଖଳାରେ ଥିବା ଅମଳ ଧାନ ବି ଓଦା ହୋଇଯାଇଛି । ଖଳାରେ ଥିବା ଧାନ ବସ୍ତା ଓ ପଲିଥିନ୍ ତଳେ ଥିବା ଧାନ ବି ପୁରା ଓଦା ହୋଇଯାଇଛି । ବର୍ଷା ପାଣିରେ ଓଦା ହେବାରୁ ଧାନର ଏଫଏକ୍ୟୁ ମାନ କମିବା ସହ ଅମଳ କମି ଯିବାର ଆଶଙ୍କା କରୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳର ଚାଷୀ ।

ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ସମ୍ବଲପୁରରେ ବି ବର୍ଷା ହୋଇଛି । ଧାନ ଅମଳ ବେଳେ ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି ବର୍ଷା । କେଉଁଠି ବିଲରେ ପେଟା ପଡିଛି, କିଛି ସ୍ଥାନରେ ଧାନ କଟା ସରିନାହିଁ   । ତାଲବ ଗାଁରେ ଏକର ଏକର ଧାନ ଫସଲ ବର୍ଷା ପାଣିରେ ଭିଜୁଥିବା ବେଳେ ଚାଷୀ ଚିନ୍ତାରେ । କାରଣ ବିଲରେ ପାଣି ଥିବାରୁ ଧାନ ଅମଳ ପାଇଁ ମେସିନ୍ ଯାଇପାରୁନାହିଁ । ପାଣିରେ ପଡିଥିବା ଧାନକୁ ତୁରନ୍ତ ନକାଟିଲେ ଗଜା ହୋଇ ଯିବାର ଆଶଙ୍କା ରହିଛି ।

ବରଗଡ ଜିଲ୍ଲାର ପଦ୍ମପୁରରେ ବି ଚାଷୀଙ୍କ ସମାନ ସ୍ଥିତି । ଅଦିନିଆ ବର୍ଷା ସାଜିଲା ଚାଷୀଙ୍କ ପାଇଁ କାଳ । ପଦ୍ମପୁର ଉପଖଣ୍ଡରେ ଗତ ଦୁଇ ଦିନ ହେବ ବର୍ଷା ପାଇଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଛାଷୀ ଧାନ ଅମଳ କରି ଖଳାରେ ରଖିଛି, କିଛି ଜମିରେ ଧାନ ବେଙ୍ଗଳା ପଡିଛି । ବର୍ଷା କାରଣରୁ ବେଙ୍ଗଳା ଧାନ ଏବେ ପାଣିରେ ଭାସୁଛି । ପାଚିଲା ଧାନ ଗଜା ହେବାର ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷିଙ୍କ ଖରିଫ ଫସଲ । ଗଂଜାମ ଜିଲ୍ଲାର ଆସିକା ଅଂଚଳରେ ୩ ଦିନ ଧରି ବର୍ଷା ଲାଗି ରହିବାରୁ ଅମଳ ହୋଇ ନଥିବା ଧାନ ନଷ୍ଟ ହୋଇଯାଇଛି । କେବଳ ଧାନ ନୁହେଁ ମୁଗ ଓ ବିରି ଚାଷ ବି ପ୍ରଭାବିତ ହୋଇଛି । ତେଣୁ ବର୍ଷା ଛଡିବା ପରେ ଏବେ ସେହି ପାଣିରୁ କଟା ଧାନକୁ ଛାଣି ଆଣୁଛନ୍ତି ଚାଷୀ ।