ଧନୀ ଗରିବର ସାଂଘାତିକ ସତ ! ମାତ୍ର ୧ ପ୍ରତିଶତ ଧନୀଙ୍କ ନିକଟରେ ଦେଶର ୭୩ ପ୍ରତିଶତ ଧନ
କନକ ବ୍ୟୁରୋ : ବଢ଼ୁଛି ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ । ଧନୀ ଦିନକୁ ଦିନ ବେଶୀ ଧନୀ ହେଉଥିବାବେଳେ ଗରିବ ଆହୁରି ଗରିବ ହେଉଛି । ଏଭଳି ସାଂଘାତିକ ରିପୋର୍ଟ ପ୍ରକାଶ କରିଛି ଇଂଟରନ୍ୟାସନାଲ୍ ରାଇଟ୍ ଗ୍ରୁପ୍ ଅକ୍ସଫାମ୍ । ରିପୋର୍ଟ ଅନୁଯାୟୀ ଶେଷ ବର୍ଷରେ ଭାରତରେ ଆୟ ହୋଇଥିବା ମୋଟ୍ ସମ୍ପତିର ୭୩ ପ୍ରତିଶତ ମାତ୍ର ଏକ ପ୍ରତିଶତ ଲୋକଙ୍କ ପାଖକୁ ଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଭାରତ ଜନସଂଖ୍ୟାର ପ୍ରାୟ ୬୭କୋଟି ଲୋକ ବା ଅଧା ଲୋକଙ୍କର ସମ୍ପତି ଏହି ସମୟରେ ମାତ୍ର ଏକ ପ୍ରତିଶତ ବୃଦ୍ଧି ପାଇଛି । ଏଥିରୁ ସ୍ପଷ୍ଟ ହୋଇଛିି ଯେ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅକ୍ସଫାମର ଗତ ବର୍ଷର ସର୍ଭେ ଅନୁସାରେ ଦେଶର ମୋଟ୍ ସମ୍ପତିର ୫୮ ପ୍ରତିଶତ ସମ୍ପତି ମାତ୍ର ଏକ ପ୍ରତିଶତ ଲୋକଙ୍କ ପାଖରେ ରହିଛି । କେବଳ ୨୦୧୭ ବର୍ଷରେ ଭାରତର ଏକ ପ୍ରତିଶତ ଧନୀଙ୍କ ସମ୍ପତିରେ ୨୦ଦଶମିକ ୯ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଯାହାକି କେନ୍ଦ୍ର ସରକାରଙ୍କ ୨୦୧୭-୧୮ ବଜେଟ ସହ ପ୍ରାୟ ସମାନ ।
ତେବେ ଏଭଳି ପରିସ୍ଥିତି କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଧନୀ ଓ ଗରିବଙ୍କ ମଧ୍ୟରେ ଅସମାନତା ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ବିଶ୍ୱର ପ୍ରାୟ ୩.୭ଆରବ ଲୋକଙ୍କର ସମ୍ପତିରେ କୌଣସି ବୃଦ୍ଧି ପାଇ ନାହିଁ । ଅକ୍ସଫାମ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଉପରେ ପ୍ରତିବର୍ଷ ବିଶ୍ୱ ଅର୍ଥନୈତିକ ସମ୍ମିଟରେ ଆଲୋଚନା ହୋଇଥାଏ । ତେଣୁ ଆସନ୍ତାକାଲି ହେବାକୁ ଥିବା ସମ୍ମିଳନୀରେ ମଧ୍ୟ ଏହା ଉପରେ ଆଲୋଚନା ହୋଇପାରେ ।