ମହିଳା ଏସଆଇଙ୍କୁ ଧକ୍କା ମାରିବା ଘଟଣା : ବିବାଦରେ ବିରୋଧୀ ଦଳ ନେତା; ଧନୁପାଲି ଆଇଆଇସିଙ୍କ ସହ କଥାହେଲେ ଆଇଜି ଓ ଏସପି

599

କନକ ବ୍ୟୁରୋ : ପୁଲିସ ଅଧିକାରୀଙ୍କ ସହ ଧକ୍କା ମରାମରି ଘଟଣାକୁ ନେଇ ବିବାଦକୁ ଆସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ ରାତିରେ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ବି.ଗଙ୍ଗାଧର ଧନୁପାଲି ଥାନାରେ ପହଞ୍ଚି ଆଲୋଚନା କରିଛନ୍ତି ।

ଘଟଣା ସମ୍ପର୍କରେ ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ସହ ଆଇଜି ଓ ଏସପି କିଛି ସମୟ ଆଲୋଚନା କରି ପୁଣି ଫେରିଯାଇଥିବା ସୂଚନା ମିଳିଛି । ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କୁ ଧକ୍କା ମାରିଥିଲେ । ଏହା ପରେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଧକ୍କା ମାରିଥିଲେ ସଂପୃକ୍ତ ମହିଳା ଅଧିକାରୀ ।

ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ଏହାକୁ ନେଇ ପୋଲିସ ଓ ଜୟନାରାଣ ମିଶ୍ର ମୁହାଁମୁହଁ ସ୍ଥିତି ଦେଖିବାକୁ ମିଳିଥିଲା । ଅନିତାଙ୍କ ଅଭିଯୋଗ ଅନୁସାରେ ସମ୍ବଲପୁର ଟାଉନ୍ ଥାନା ପୋଲିସ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିକ୍ଷୋଭ କରାଯିବ । ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବ ।