ସଂସଦରେ ଥମୁନି ମଣିପୁର ହିଂସା ତାତି, ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ, କଳାପୋଷାକ ପିନ୍ଧି ସଂସଦରେ ପହଁଚିଲେ ଇଣ୍ଡିଆ ମେଂଟର ସଦସ୍ୟ

54

କନକ ବ୍ୟୁରୋ : ହିଂସା, ଦଙ୍ଗା, ହଙ୍ଗାମା ଓ ମଣିପୁର । ସତେ ଯେମିତି ଏଗୁଡ଼ିକ ମଣିପୁର ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଗଲେଣି । ଗତ ତିନି ମାସ ହେବ ମଣିପୁରରୁ ହିଂସା, ହଙ୍ଗାମା ଆଦି ଥମିବାର ନାଁ ନେଉ ନାହିଁ । ଲଗାତର ଭାବେ ମଣିପୁରରେ କେଉଁଠି ଗୁଳିମାଡ଼ ତ କେଉଁଠି ଜଳାପୋଡ଼ା ଘଟଣା । ଆଉ ଏହାରି ମଧ୍ୟରେ ମଣିପୁରରୁ ଆସିଥିବା ଲଜ୍ଜାଜନକ ଘଟଣା ସମସ୍ତଙ୍କୁ ଜଣା । ତେବେ ଏହାକୁ ନେଇ ବିବାଦ ଥମି ନଥିବାବେଳେ ମଣିପୁରରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମଣିପୁରର ଚୁରାଚାନ୍ଦୁପର ଜିଲ୍ଲା ଥୋରବୁଙ୍ଗ ଅଂଚଳରେ ବଡ଼ ଧରଣର ଗୁଳିମାଡ଼ ହୋଇଛି । ପ୍ରଦର୍ଶନକାରୀ ମାନେ ୨୦ରୁ ଅଧିକ ଘର ପୋଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ଏଯାଏଁ କୈାଣସି ମୃତାହତର ସୂଚନା ମିଳିନାହିଁ ।

ମଣିପୁର ହିଂସାକୁ ନେଇ ଉଠୁଛି ପଡ଼ୁଛି ସଡ଼କ ଠୁ ସଂସଦ । ୨୦ ଜୁଲାଇରୁ ଆରମ୍ଭ ହୋଇଥିବା ମୈାସୁମୀ ଅଧିବେଶନ ଲଗାତର ଭାବେ ମଣିପୁର ଝଡ଼କୁ ନେଇ ସ୍ଥଗିତ ହେବାରେ ଲାଗିଛି । ବିରୋଧୀ ମେଂଟ ଭିନ୍ନ ଉପାୟରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଗୁରୁବାର ବିରୋଧୀ ଦଳର ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦରେ ପହଁଚିଥିଲେ । ମଣିପୁର ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ବୋଲି ଦାବି କରୁଛି ବିରୋଧୀ ମେଂଟ ଇଣ୍ଡିଆ ।ସେପଟେ ସରକାର କହିଛନ୍ତି ଦେଶହିତ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନକରାଯାଉ ।

ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ବିରୋଧରେ ବୁଧବାର ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ମଣିପୁର ଘଟଣାକୁ ନେଇ ସଂସଦ ଅଚଳ ହୋଇପଡିଛି । ସରକାର ଓ ବିରୋଧୀଙ୍କ ମୁହାଁମୁହିଁରେ ୬ଦିନ ହେବ ଚାଲିପାରୁନି ସଂସଦର ମୌସୁମୀ ଅଧିବେଶନ ।