ଅନଲାଇନରେ ବନ୍ଦ ହେବ ଔଷଧ ବିକ୍ରି । ନିର୍ଦ୍ଦେଶ ଦେଲେ ଭାରତୀୟ ଔଷଧ ମହାନିୟନ୍ତ୍ରକ ।

301

ଦେଶରେ ବିଭିନ୍ନ ଇ-କମର୍ସ କମ୍ପାନିଙ୍କ ଦ୍ୱାରା ଅନଲାଇନରେ ଔଷଧ ବିକ୍ରିକୁ ବନ୍ଦ କରିବାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଅନଲାଇନ ଔଷଧ ବିକ୍ରି ବନ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡିସିଜିଆଇ ଏହି ନିଷ୍ପତ୍ତି ନେଇଛନ୍ତି ।

ଅନଲାଇନରେ ଔଷଧ ବିକ୍ରି ବନ୍ଦ ପାଇଁ ୨୦୧୮ରେ ଜାହିର ଅହମଦ ନାମକ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ନିଜ ଆବେଦନରେ ସେ ଦର୍ଶାଇଥିଲେ ଯେ ଅନଲାଇନରେ ଔଷଧ ବିକ୍ରି କଲେ ତାହାର ଦୁରୁପଯୋଗ ହେବ ଓ ଲୋକମାନେ ତାହାର ଅପବ୍ୟବହାର କରିବେ । ଏହାର ଗୁରୁତର ପ୍ରଭାବ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ ।

ଏହାର ବିଚାର କରି ହାଇକୋର୍ଟ ରାୟ ଦେଇଥିଲେ ଯେ ଅନଲାଇନ ଔଷଧ ବିକ୍ରି ନେଇ କେନ୍ଦ୍ର ସରକାର କୌଣସି ଆଇନ ପ୍ରଣୟନ ନ କରିବା ପର୍ଯ୍ୟନ୍ତ ତାହାକୁ ବନ୍ଦ କରାଯାଉ । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଗତ ସପ୍ତାହରେ ଭାରତୀୟ ଔଷଧ ମହାନିୟନ୍ତ୍ରକ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ ।