ଦିଲ୍ଲୀରେ ଫିକା ପଡିବ ବଡଦିନ ଓ ନୂଆବର୍ଷ, ଉତ୍ସବ ପାଳନ କରିବା ଓ ଏକତ୍ରୀତ ହେବା ଉପରେ ଦିଲ୍ଲୀ ସରକାର ଜାରିକଲେ ଗାଇଡ ଲାଇନ

120

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ବଡଦିନ ଓ ନୂଆବର୍ଷ ପାଳନ ଉପରେ ଗାଇଡ ଲାଇନ ଜାରି କରିଛନ୍ତି । ନୂଆବର୍ଷରେ ହେଉଥିବା ଉତ୍ସବ ପାଳନ ଓ କ୍ରିସମାସରେ ଲୋକମାନଙ୍କୂୁ ଭିଡରୁ ଦୂରେଇ ରଖିବା ପାଇଁ ସରକାର ଆଦେଶ ଜାରି କରିଛନ୍ତି । ଏଣୁ ଏହି ଦୁଇଟି ବଡ ପର୍ବରେ ଲୋକମାନେ ଏକାଠି ହୋଇପାରିବେ ନାହିଁ ତେଣୁ ଉତ୍ସବ ଫିକା ପଡିବ ବୋଲି ଅନୁମାନ କରାଯାଉଛି ।

ଦିଲ୍ଲୀ ବିପଦ ପ୍ରବନ୍ଧନ ପ୍ରାଧୀକରଣର ନିର୍ଦ୍ଦେଶ ମୁତାବକ ନିଜ ନିଜ ଅଞ୍ଚଳରେ ଜିଲ୍ଲାପାଳମାନେ ସରକାରଙ୍କ ଗାଇଡ ଲାଇନ ପାଳନ କରିବେ । ଏହାସହ କାମ କରିବା ସ୍ଥାନ ଓ ଦୋକାନ ମାନଙ୍କରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ସୂଚନାକୁ କଡା କଡି ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନୁଆ ବର୍ଷ ଓ ବଡଦିନରେ କୌଣସି ସ୍ଥାନରେ ଯେଭଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ନ ହୁଏ ସେ ନେଇ ଜିଲ୍ଲା ପ୍ରଶାସନ ଓ ଡିସିପି ମାନଙ୍କୁ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଡିଡିଏମଏ ସଦ୍ୟ ଜାରି କରିଥିବା ଗାଇଡ ଲାଇନରେ ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ପାଳନ ନେଇ କଟକଣା ଜାରି କରିଛନ୍ତି । ଏହାସହ ହୋଟେଲ, ରେଷ୍ଟୁରାଣ୍ଟ ଓ ବାର ମାନଙ୍କରେ ବସିବା କ୍ଷମତାର ଅଧା ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ।

ଏହାସହ ବାହାଘରରେ ସର୍ବାଧିକ ୨୦୦ ଲୋକ ଉପସ୍ଥିତ ରହିପାରିବା ନେଇ ଥିବା ଅନୁମତିକୁ ଡିଡିଏମଏ ପ୍ରତ୍ୟାହାର କରି ନେଇଛି । ଏହାସହ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପେ୍ଲକ୍ସରେ ଦର୍ଶକମାନଙ୍କ ପ୍ରବେଶକୁ ଅନୁମତି ଦିଆଯାଇ ନାହିଁ । କହିରଖୁ କି ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟ ଦେଖା ଦେଇଛି । ଏହାରି ମଧ୍ୟରେ ଦେଶରେ ୨୦୦ ରୁ ଅଧିକ ଲୋକ ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ମହାରାଷ୍ଟ୍ରରେ ଥିବା ବେଳେ ଦ୍ୱିତୀୟରେ ଦିଲ୍ଲୀ ରହିଛି ।